ଭୁବନେଶ୍ୱର: ସାଧାରଣ ନିର୍ବାଚନ ସହ ଏକା ସମୟରେ ହେବ କି କିଛି ରାଜ୍ୟର ବିଧାନସଭା ନିର୍ବାଚନ? ଏହା ସପକ୍ଷରେ ଗତକାଲି ଲ’ କମିଶନ୍‌ଙ୍କୁ ବିଜେପି ପ୍ରସ୍ତାବ ଦେବା ପରେ ଜୋର୍ ଧରିଛି ଚର୍ଚ୍ଚା। ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ବିଧାନସଭା ଓ ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ସାଧାରଣ ନିର୍ବାଚନ ସହିତ ଏକାସାଙ୍ଗରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ଏହା ବାଦ୍ ଓଡ଼ିଶା ଭଳି କିଛି ରାଜ୍ୟରେ ସାଧାରଣ ନିର୍ବାଚନ ସମୟରେ ବିଧାନସଭା ଭୋଟ୍ ହେବ। ତେଣୁ ଏସବୁକୁ ମିଶାଇଲେ ୧୧ଟି ରାଜ୍ୟର ଏକାସାଙ୍ଗରେ ନିର୍ବାଚନ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି।

ତେବେ ଆଜି ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ୱତ କହିଛନ୍ତି, ସାରାଦେଶରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ହେଲେ ସମ୍ବିଧାନ ସଂଶୋଧନ କରିବାକୁ ପଡ଼ିବ। ଯଦି ପର୍ଯ୍ୟାୟକ୍ରମେ କିଛି ରାଜ୍ୟର ନିର୍ବାଚନ କରାଯିବ, ସେ କ୍ଷେତ୍ରରେ ସଂପୃକ୍ତ ରାଜ୍ୟ ବିଧାନସଭା ଭାଙ୍ଗିବା ପାଇଁ ରାଜି ହେବା ଦରକାର।

ଏକା ସାଙ୍ଗରେ ନିର୍ବାଚନ ଚର୍ଚ୍ଚା ଜୋର୍ ଧରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏଥିପାଇଁ କିଛି ରାଜନୈତିକ ଦଳ ଓ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏପରି ହେଲେ ନିର୍ବାଚନ ଖର୍ଚ୍ଚ କମ୍ ହେବ ବୋଲି ସେ ମତ ଦେଇଛନ୍ତି। ବିଜେଡି ମଧ୍ୟ ଏକାଠି ନିର୍ବାଚନ ସପକ୍ଷରେ ରହିଛି। ସେପଟେ କଂଗ୍ରେସ ଅଭିଯୋଗ କରିଛି ଏକାଠି ନିର୍ବାଚନ ପାଇଁ ବିଜେପି ଭୁଲ୍‌ ଆଭିମୁଖ୍ୟ ଗ୍ରହଣ କରିଛି।

ଏହାରି ଭିତରେ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ୬ଟି ରାଜ୍ୟରୁ ଇଭିଏମ୍ ଆସି ଓଡ଼ିଶାରେ ପହଚିଂଛି। ଓଡ଼ିଶାରେ ଯେତେ ଇଭିଏମ୍ ଆବଶ୍ୟକ ତାର ୯୫ ପ୍ରତିଶତ ପହଞ୍ଚିସାରିଛି। ବିଭିନ୍ନ ଜିଲ୍ଲାକୁ ଏବେ ଇଭିଏମ୍‌ଗୁଡ଼ିକ ପଠାଯାଉଛି। ଏହାପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଫାଷ୍ଟ ଲେଭେଲ୍ ଚେକିଂ ହେବ। ସେପଟେ କିଛି ଭିଭିପ୍ୟାଟ୍ ଆସିଛି, ବଳକା ଭିଭିପ୍ୟାଟ୍‌ ଆସିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Other Stories