ମହାନଦୀ ପ୍ରସଙ୍ଗରେ ବିଜେପିର ୟୁ-ଟର୍ଣ୍ଣ ପରେ ବିଜେଡିର ହମ୍‌ଲା

ଭୁବନେଶ୍ୱର : ବିଜେପିକୁ ଘେରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ ନୂଆ ଅସ୍ତ୍ର କରିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସରକାର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଉପରେ ବର୍ଷିଛି ଦଳ। ରମଣ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ବିଜେପି ନେତାମାନେ ବାରମ୍ବାର ଏହି ପ୍ରସଙ୍ଗରେ ମତ ପରିବର୍ତ୍ତନ କରୁଛନ୍ତି। ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାନଦୀ ଟ୍ରିବ୍ୟୁନାଲ୍ ନେଇ କଟକରେ ମିଥ୍ୟା ତଥ୍ୟ ଉପସ୍ଥାପନ କଲେ ବୋଲି ଦଳ ଅଭିଯୋଗ କରିଛି। ବିଜେପି ଓ କେନ୍ଦ୍ରର ଏହା ଦୋମୁହାଁ ନୀତି ବୋଲି ବିଜେଡି ଅଭିଯୋଗ କରିବା ସହିତ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ ବୋଲି କହିଛି।

ଏବେ ପ୍ରଶ୍ନ ମହାନଦୀ ପ୍ରସଙ୍ଗରେ ବିଜେପିର ୟୁ-ଟର୍ଣ୍ଣ କାହିଁକି? ଏ ପ୍ରସଙ୍ଗରେ ଦଳ କେଉଁଠି ନା କେଉଁଠି ବ୍ୟାକ୍‌ଫୁଟ୍‌ରେ ଥିବାରୁ ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ଏଭଳି ବୟାନ ଦିଆଯାଇ ନାହିଁତ? ଚର୍ଚ୍ଚା ହେଉଛି, ୧୪ଟି ଜିଲ୍ଲାରେ ବିଜେଡି ମହାନଦୀ ସୁରକ୍ଷା ଅଭିଯାନକୁ ଜୋରଦାର କରିବା, ସୋସିଆଲ ମିଡିଆରେ ମହାନଦୀକୁ ନେଇ କେନ୍ଦ୍ର ବିରୋଧରେ ଦଳୀୟ ମୁଖପାତ୍ରମାନଙ୍କ  ଭିଡିଓ କ୍ଲିପିଂ ଜାରି ଆଦି କାର୍ଯ୍ୟକ୍ରମ ବିଜେପିକୁ ଅଡୁଆରେ ପକାଇଛି। କାଳେ ଜନମତ ବିଜେପି ବିରୋଧରେ ଚାଲିଯିବ ସେହି ଆଶଙ୍କାରେ ଦଳ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚାହେଉଛି। ତେବେ ବିଜେପି ମୁଖପାତ୍ର ପୀତାମ୍ବର ଆଚର୍ଯ୍ୟ ସ୍ପଷ୍ଟ କରିଛନ୍ତି। ଏହା ୟୁ-ଟର୍ଣ୍ଣ ନୁହେଁ, ଓଡ଼ିଶାର ସ୍ୱାର୍ଥ ପାଇଁ ଦଳ ପୂର୍ବରୁ ବି ଏକଥା କହିଆସିଛି।

ସେପଟେ ମହାନଦୀ ପ୍ରସଙ୍ଗରେ ଆଗକୁ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ୍। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହାନଦୀ ବିବାଦ ପାଇଁ ଦାୟୀ। ବରଂ ରାଜ୍ୟ ସରକାର ପ୍ରଥମେ ଅଧିକ ଦାୟୀ ବୋଲି କହିଛନ୍ତି ପିସିସି ସଭାପତି। ମହାନଦୀ ବିବାଦକୁ ବିଜେଡି ଓ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରି ସାରିଲେଣି। ବିଜେପି ମଧ୍ୟ ଛତିଶଗଡ ଭୁଲ୍ କରିଛି ବୋଲି ସ୍ୱୀକାର କରିଛି। ଏସବୁ ଭିତରେ ମହାନଦୀ ବିବାଦରୁ କିଏ କେତେ ଫାଇଦା ଉଠାଉଛି ତା ଉପରେ ନଜର।

You might also like