ବଦଳିବେ ନାହିଁ ବସନ୍ତ

ରାଜ୍ୟ ବିଜେପିକୁ ଶାହାଙ୍କ ଟାସ୍କ ପୂରଣ ଚିନ୍ତା

ଭୁବନେଶ୍ୱର : ବଦଳିବେ ନାହିଁ ବସନ୍ତ। ୧୯ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ମଙ୍ଗୁଅାଳ ହୋଇ ରହିବେ ବସନ୍ତ ପଣ୍ଡା। ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ଗସ୍ତ ପରେ ବସନ୍ତଙ୍କ ଯାଗାରେ ପ୍ରତାପଙ୍କୁ ଦଳ କ୍ୟାପଟେନ କରିବା ନେଇ କିଛି ମହଲରେ ଚର୍ଚ୍ଚା ଚାଲିଥିଲା। ତେବେ ଅାଜି ଏ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ। ଅରୁଣ କହିଛନ୍ତି ବସନ୍ତଙ୍କ ନେତ୍ୱତ୍ୱରେ ହିଁ ଦଳ ୧୯ ନିର୍ବାଚନ ଲଢିବ।  ବିଜେପୁର ନିର୍ବାଚନ ପରେ ବି ବସନ୍ତ ବଦଳିବା ଚର୍ଚ୍ଚା ହୋଇଥିଲା।

ଏପଟେ ଶାହା ଦେଇଥିବା କାମର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଁଞ୍ଚିବା ପରେ ମୟୁରଭଞ୍ଜ ଗସ୍ତ କରିଛନ୍ତି ପ୍ରଭାରୀ ଅରୁଣ ସିଂ। କୁହାଯାଉଛି ଶାହା ଦେଇଥିବା ହେଭି ଟାସ୍କ ଭିତରୁ ଅନେକ ପୂରଣ ହୋଇପାରିନି। ପ୍ରତି ବୁଥ୍‌ରେ ବିଜେପିର ନୂଅା ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସହ ସଂପର୍କ ସ୍ଥାପନ କରିବା କାମରେ ନେତା ଓ କାର୍ଯ୍ୟକର୍ତ୍ତା ଲାଗିପଡିଥିଲେ ବି ଶାହାଙ୍କ ଟାସ୍କ କିନ୍ତୁ ପୂରଣ ହୋଇପାରିନି। ୧୫ ଦିନ ଭିତରେ ବୁଥ୍‌କୁ ଯାଇ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ କଥା ପହଁଞ୍ଚାଇବାକୁ କହିଥିଲେ ଶାହା।ତେବେ ରାଜ୍ୟର ୩୬ ହଜାର ବୁଥ୍‌ରୁ ଦଳ ଏବେ ସୁଦ୍ଧା ୨୨ ହଜାର ବୁଥ୍‌ରେ ହିଁ ନିଜ ଉପସ୍ଥିତି ଜାହିର କରିପାରିଛି। ବିଜେପି। ଶାହାଙ୍କ ନିର୍ଦ୍ଦେଶ କିନ୍ତୁ ସବୁ ବୁଥରେ ସକ୍ରିୟ ସଦସ୍ୟ କର। ଶାହା ଯିବାର ମାସେ ପୂରିବ ହେଲେ କୁହାଯାଉଛି ଏ କାମ ଟାର୍ଗେଟ୍ ଅନୁଯାୟୀ ଅାଗେଇ ପାରି ନାହିଁ। ପ୍ରତି ପଞ୍ଚାୟତରେ ପ୍ରସଙ୍ଗକୁ ନେଇ ଅାନ୍ଦୋଳନ କରିବାକୁ ବି କହିଥିଲେ ଶାହା। ଟାସ୍କ କେତେ ପୂରଣ ହୋଇଛି ତାର ହିସାବ ନେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଭାରୀ ଅରୁଣ ସିଂ।

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ହେବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ତା ପୂର୍ବରୁ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକି ନିଜେ ଦେଇଥିବା ଟାସ୍କର ହିସାବ ନେଇପାରନ୍ତି ଅମିତ ଶାହା।

You might also like