ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର : ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ, ସେବାୟତଙ୍କୁ ସେମାନଙ୍କ ପାରମ୍ପରିକ ସେବାରୁ ଉଚ୍ଛେଦ କରାଯାଇପାରିବ ନାହିଁ।

ମହାପ୍ରଭୁଙ୍କର ୧୨୦ ପ୍ରକାର ସେବା ରହିଛି ଯାହା ଅନ୍ୟ ମନ୍ଦିରରେ ନାହିଁ। ତେଣୁ ଜଗନ୍ନାଥ ମନ୍ଦିରକୁ ଅନ୍ୟ ମନ୍ଦିର ସହ ତୁଳନା କରାଯିବା ଭୁଲ ବୋଲି ବିଜୟ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ତୁରନ୍ତ ପରିଚାଳନା କମିଟି ବୈଠକ ଡକାଯାଇ ସ୍ପଷ୍ଟ ନିଷ୍ପତ୍ତି ନିଆଯାଉ ବୋଲି ବିଜୟ ଅପିଲ୍ କରିଛନ୍ତି। ସେହିପରି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବ ସଂପର୍କରେ ପରିଚାଳନା କମିଟିର ବୈଠକ ପରେ ସେ ନିଜ ମତ ରଖିବେ ବୋଲି ବିଜୟ କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏହା କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ। ଚୂଡ଼ାନ୍ତ ରାୟ ପରେ ହିଁ ନିଷ୍ପତ୍ତି ନିଆଯିବ। ଦରକାର ପଡ଼ିଲେ ସରକାର ଆଇନରେ ସଂଶୋଧନ କରିବେ ବୋଲି ସେ କହିଛନ୍ତି।

ସେପଟେ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ କହିଛି, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ସ୍ପଷ୍ଟ ମତ ରଖିସାରିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ତର୍କବିତର୍କର ଆବଶ୍ୟକତା ନଥିବା ମନେହୁଏ

You might also like