ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି ବିଜେପି ସରକାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହାନଦୀକୁ ନେଇ ରବିବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମହାସମ୍ମିଳନୀର ଆୟୋଜନ କରିଛି ବିଜେଡି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ମହାନଦୀ ଶୁଖିଯାଉଥିବା ନେଇ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ବିଜେପି ସରକାର ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି। ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଶି ଏପରି କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମହାନଦୀକୁ ବଞ୍ଚାଇବା ଲାଗି ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।
ଛତିଶଗଡ଼ ପାଣି ନ ଛାଡ଼ିବାରୁ ମହାନଦୀ ଶୁଖି ଯିବାକୁ ବସିଲାଣି। ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ଆମକୁ ସହଯୋଗ କଲେନି। ଶେଷରେ ସୁପ୍ରିମ୍କୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଲେ ବୋଲି ନବୀନ କହିଛନ୍ତି। କେନ୍ଦ୍ରର ଏହି ଅବହେଳାକୁ ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ। ଏଥିପାଇଁ ଦଳୀୟ କର୍ମୀମାନେ ଲୋକଙ୍କ ପାଖକୁ ଯାଇ ଏକଥା ବୁଝାନ୍ତୁ ବୋଲି ସମ୍ମିଳନୀରେ ଉଦ୍ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମହାନଦୀ ପାଇଁ ବିଜେଡି ତା’ର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାଂସଦ, ବିଧାୟକ, ମ୍ୟୁନିସିପାଲଟି ଚେୟାରମ୍ୟାନଙ୍କ ସମେତ ୧୫ଟି ଜିଲ୍ଲାରୁ ଜନପ୍ରତିନିଧିମାନେ ଯୋଗଦେଇଥିଲେ।