ଆସୁଛନ୍ତି ଅମିତ ଶାହ: ଏଥର ଫୋକସ୍‌ରେ ପଞ୍ଚାୟତ

ଭୁବନେଶ୍ୱର: ଓଡ଼ିଶା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ। ରାଜ୍ୟର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବାକୁ ଗୁପ୍ତ ରଣନୀତି କରିଛନ୍ତି ବିଜେପି କମାଣ୍ଡର। ଏଥିପାଇଁ ଜୁଲାଇ ୧ତାରିଖରେ ଦିନିକିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଶାହ। କାରଣ ବିଜେପି ଫୋକସ୍‌ରେ ଏବେ ୩ ଲୋକସଭା ଅଧିନରେ ଯାଉଥିବା ୨୧ଟି ବିଧାନସଭା କ୍ଷେତ୍ରର ସବୁ ପଞ୍ଚାୟତ । ଶାହ ଏହି ପଞ୍ଚାୟତ ପ୍ରମୁଖଙ୍କୁ ଗୁରୁମନ୍ତ୍ର ଦେବା ସହ ପୂର୍ବରୁ ଦେଇଥିବା କାମର ହିସାବ ମଧ୍ୟ ମାଗିବେ।

ଗତ ଏପ୍ରିଲ୍ ମାସରେ କଳାହାଣ୍ଡି ଆସିଥିଲେ ଶାହ। ସେତେବେଳେ କିଛି ପଞ୍ଚାୟତ ପ୍ରମୁଖଙ୍କୁ ଗୁରମନ୍ତ୍ର ବି ଦେଇଥିଲେ। ଏଥିସହିତ ଖୋଲା ମଞ୍ଚରେ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ମଧ୍ୟ କରିଥିଲେ। ବନ୍ଦ କୋଠରୀରେ ନିଜ ଦଳର କ୍ୟାଡରଙ୍କୁ  ମନ୍ତ୍ର ଦେବା ବେଳେ ସେ ଦେଇଥିବା କାମର ଟିକିନିଖି ହିସାବ ବି ମାଗିଥିଲେ ସେ।

ଏବେ ପୁଣିଥରେ ସମାନ ଶୈଳୀରେ ଭୁବନେଶ୍ୱରରେ ତିନୋଟି ଲୋକସଭା ଅଧିନରେ ଥିବା ୨୧ ଟି ବିଧାନସଭାର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଶାହା ଭେଟିବାକୁ ଚାହୁଁଛନ୍ତି। ଅନ୍ୟପଟେ କେନ୍ଦ୍ରୀୟ ଯୋଜନା ତୃଣମୁଳ ସ୍ତରରେ ପହଁଞ୍ଚିପାରୁ ନ ଥିବାରୁ ରାଜ୍ୟ ସରକାର ଦାୟୀ କରିଛି ରାଜ୍ୟ ବିଜେପି। ଏ କ୍ଷେତ୍ରରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ବିଜେପି କହିଛି। ତେଣୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାର ବାସ୍ତବତା ପରଖିବେ ଶାହା।

ଶାହଙ୍କ ଗସ୍ତ ନେଇ ଏଥର କୌଣସି ସାଧାରଣ ସଭା ନ ଥିଲେ ବି ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ପର୍ଯ୍ୟାୟରେ ଶାହ ଦଳର କର୍ମକର୍ତ୍ତାଙ୍କୁ ଭେଟିବେ। କଳାହାଣ୍ଡିର ବୈଠକରେ ୨୭ଟି ପ୍ରମୁଖ ଦିଗକୁ ନେଇ ସେ ଦେଇଥିବା କାମର ହିସାବ ମାଗିଥିଲେ। ଅନେକ କ୍ଷେତ୍ରରେ କାମ ଠିକ ଭାବେ ହୋଇ ନ ଥିବାରୁ ଅସନ୍ତୋଷ ବି ପ୍ରକାଶ କରିଥିଲେ। ଏଥର ବି ସମାନ ଢଙ୍ଗରେ ସଙ୍ଗଠନ ସକ୍ରିୟ ପାଇଁ ଶାହା ପୂର୍ବରୁ ଦେଇଥିବା କାମର ହିସାବ ମାଗିବେ ବୋଲି ଜଣାପଡ଼ିଛି।

 

You might also like