ଶ୍ରୀମନ୍ଦିର ହୁଣ୍ଡିର ୪ କେଜି ସୁନାର ସୂଚନା ନାହିଁ
ଭୁବନେଶ୍ୱର : ଶ୍ରୀମନ୍ଦିର ହୁଣ୍ଡିର ପ୍ରାୟ ୪ କେଜି ସୁନା ନ ମିଳିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ। ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି।
ଆବେଦନକାରୀ ଦର୍ଶାଇଛନ୍ତି ଯେ, ୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରୁ ୧୮ କେଜି ୨୫୦ ଗ୍ରାମ ସୁନା ମିଳିଛି। କିନ୍ତୁ ଜିଲ୍ଲା ପ୍ରଶାସନ ଏସ୍ଟିଆଇ ଲକରରେ ରଖିଛି ମାତ୍ର ୧୪ କେଜି ୫୬୦ ଗ୍ରାମ ସୁନା । ବାକି ସୁନା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ।
ଭିଜିଲାନ୍ସରେ ଅଭିଯୋଗ ପରେ ମଧ୍ୟ ଏଯାଏଁ ମାମଲା ରୁଜୁ ହୋଇନାହିଁ। ତେଣୁ ମାମଲା ରୁଜୁ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେବା ସହିତ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।