ମହାନଦୀ ପାଇଁ ବିଜେଡିର ଯୁଦ୍ଧଂ ଦେହି ଡାକରା

ଭୁବନେଶ୍ୱର : କଲ୍‌ମା ବ୍ୟାରେଜର ପ୍ରାୟ ସବୁ ଗେଟ୍ ବନ୍ଦ। ହୀରାକୁଦ ଜଳଭଣ୍ଡାରକୁ କମୁଛି ଜଳପ୍ରବାହ। ଶୁଖିଲା ପଡ଼ିଛି ନଦୀର ତଳମୁଣ୍ଡ। ସବୁଠି ପାଣି ସମସ୍ୟା। ଆଉ ଏହି ପ୍ରସଙ୍ଗରୁ ଭରପୂର ରାଜନୈତିକ ଫାଇଦା ନେବା ଚକ୍କରରେ ବିଜେଡି। ମହାନଦୀ ଡଙ୍ଗାରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଛି ରୋଡ ମ୍ୟାପ୍।

ଯୋଜନା ଅନୁଯାୟୀ, ମେ ମାସରେ ମହାନଦୀ ପାଇଁ ମହାସଂଗ୍ରାମ ଆରମ୍ଭ କରିବ ବିଜେଡି। ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ଘନଘନ ବୈଠକ ହେଉଥିବା ବେଳେ ଆଜି ବି ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଓ ପରେ ନବୀନ ନିବାସରେ ବସିଥିଲା ବୈଠକ। ହେଲେ ଆନ୍ଦୋଳନର ରୂପରେଖ ଚୂଡାନ୍ତ ହୋଇପାରିନି।

ତେବେ ମିଳିଥିବା ସୂଚନା ଅନୁସାରେ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଜେଡିର ସବୁଠୁ ବଡ କାର୍ଯ୍ୟକ୍ରମ ହେବ। ଦିନରେ ପଦଯାତ୍ରା ଓ ରାତିରେ ରହଣି ଓ ସଭା ସମିତି କରାଯିବ। ବରଗଡ଼ରୁ ଜଗତସିଂପୁର ପର୍ଯ୍ୟନ୍ତ ମହାନଦୀ ଅବବାହିକାରେ ଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏସବୁ କାର୍ଯ୍ୟକ୍ରମ ପାଇଁ ଦଳ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରୁଛି।

ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ସଂପର୍କରେ ଲୋକଙ୍କୁ କିଭଳି ଅବଗତ କରାଯିବ ତାପରେ ରହିବ ଫୋକସ୍। ସେପଟେ ମହାନଦୀକୁ ନେଇ କଂଗ୍ରେସ ମଧ୍ୟ ପଶ୍ଚିମ ଓଡିଶାରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛି।

ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ ଏନେଇ ଘୋଷଣା କରିଥିଲେ। ତେବେ ବିଜେଡିର ଆନ୍ଦୋଳନକୁ ବିରୋଧୀ ଦଳ ନେତା କଡା ସମାଲୋଚନା କରିଛନ୍ତି। କହିଛନ୍ତି ଯେଉଁ ସମୟରେ ପଦକ୍ଷେପ ନେବା କଥା ନେଲେ ନାହିଁ, ଏବେ ମିଳିତ ଉଦ୍ୟମ ନକଲେ ତାର ପ୍ରଭାବ ପଡିବ ନାହିଁ।

ବିଜେଡି ଓ କଂଗ୍ରେସ ମହାନଦୀକୁ ନେଇ ବଡ଼ ଆନ୍ଦୋଳନ କରିବାକୁ ଯାଉଥିବାବେଳେ ବିଜେପିର ଅଭିମୁଖ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିଜର ଅପାରଗ ପଣିଆକୁ ଲୁଚାଇବା ପାଇଁ ଶାସକ ଦଳ ବିଭିନ୍ନ ପ୍ରକାର ପ୍ରୟାସ କରୁଛି। ଏଭଳି ରାଜନୀତି ଲୋକ ଗ୍ରହଣ କରିବେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ହୋଇ ଟର୍ମ ଅଫ୍ ରେଫରାନସ୍ ବି ପ୍ରସ୍ତୁତ ହୋଇଛି। ଏଭଳି ସମୟରେ ଆନ୍ଦୋଳନ ଦ୍ୱାରା ପ୍ରକୃତରେ କି ଫାଇଦା ମିଳିବ ତାହା ହିଁ ବଡ଼ ପ୍ରଶ୍ନ।

You might also like