ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ଓ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର : ପ୍ରଥମେ ପ୍ରଶାନ୍ତ, ପରେ ସୌମ୍ୟରଞ୍ଜନ ଓ ଶେଷରେ ଅଚ୍ୟୁତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଜଣଙ୍କ ପରେ ଜଣେ ବିଜେଡିର ଏ ତିନି ପ୍ରାର୍ଥୀ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ। ତିନି ଜଣଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ।
ପ୍ରତ୍ୟେକ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୨ଟି ଲେଖାଏଁ ସେଟ୍ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ, ପ୍ରତି ସେଟ୍ରେ ୧୦ ଜଣ ଲେଖାଏଁ ବିଧାୟକ ପ୍ରସ୍ତାବକ ହୋଇଥିଲେ। ଆସନ୍ତା ୧୨ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ତେବେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ଓ କଂଗ୍ରେସ ଦଳ ପ୍ରାର୍ଥି ଦେବାର ସମ୍ଭାବନା ନ ଥିବାରୁ ଏ ତିନି ଜଣ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ।
ରାଜ୍ୟସଭାକୁ ଯାଉଥିବା ୩ ପ୍ରାର୍ଥୀଙ୍କ ମଧ୍ୟରୁ ଅଚ୍ୟୁତ ସାମନ୍ତଙ୍କ ନାଁରେ କୌଣସି ମାମଲା ନଥିବା ସେ ସତ୍ୟପାଠରେ ଦର୍ଶାଇଥିବା ବେଳେ ସୌମ୍ୟଙ୍କ ନାଁରେ ୧୯ଟି ମାମଲା ଏବଂ ପ୍ରଶାନ୍ତ ନନ୍ଦଙ୍କ ନାଁରେ ଗୋଟିଏ ମାମଲା ଥିବା ସତ୍ୟପାଠରେ ଦର୍ଶାଯାଇଛି। ତେବେ ତିନିଜଣ ପ୍ରାର୍ଥୀଙ୍କ ଭିତରୁ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ନାଁରେ ୧୧ କୋଟି ୫୨ ଲକ୍ଷ ୭୫ ହଜାର ସ୍ଥାବର ଓ ୬ କୋଟି ୫୭ ଲକ୍ଷ ୫୫ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଓ ତାଙ୍କ ପତ୍ନୀଙ୍କ ନାଁରେ ଅଛି ୨ କୋଟି ୧୨ ଲକ୍ଷର ସ୍ଥାବର ଓ ୧ କୋଟି ୨୫ ଲକ୍ଷ ୮୭ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ରହିଛି।
ସେହିପରି ଦ୍ୱିତୀୟରେ ଅଛନ୍ତି ପ୍ରଶାନ୍ତ ନନ୍ଦ ତାଙ୍କ ନାଁରେ ୫୦ଲକ୍ଷ ଟଙ୍କାର ସ୍ଥାବର ଓ ୨୯ ଲକ୍ଷ ୨୦ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ୨ କୋଟି ୮ ଲକ୍ଷର ସ୍ଥାବର ଓ ୭୮ ଲକ୍ଷ ୩୩ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। ସବୁଠୁ କମ୍ ସମ୍ପତ୍ତି ଥିବା ଦର୍ଶାଇଛନ୍ତି ଅଚ୍ୟୁତ ସାମନ୍ତ। ଅଚ୍ୟୁତଙ୍କର ପୈତୃକ ସ୍ଥାବର ସଂପତ୍ତିର ଅଂଶ ବାବଦକୁ ୧ ଲକ୍ଷ ୮୬ ହଜାର ଟଙ୍କା ଓ ୪ ଲକ୍ଷ ୧୨ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ଆସନ୍ତା ୧୩ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୫ ତାରିଖରେ ପ୍ରତ୍ୟାହାର ପରେ ଆବଶ୍ୟକ ପଡ଼ିଲେ ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ।