ବିଜେଡିରେ ବଢୁଛି ଅନ୍ତର୍ଦ୍ୱନ୍ଦ୍ୱ, ଚିନ୍ତାରେ ସୁପ୍ରିମୋ

ବିଜେଡିରେ ସାଙ୍ଘାତିକ ଭାବେ ବଢୁଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ବିଧାୟକଙ୍କ ପ୍ରତି ବଢୁଥିବା ଅସନ୍ତୋଷ ଓ ଦଳଭିତରୁ ଏମ୍ଏଲ୍ଏଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ସାମ୍ନାକୁ ଆସୁଥିବା ଟିକେଟ୍ ଆଶାୟୀଙ୍କ ପାଇଁ ଏହି ଅନ୍ତର୍ଦ୍ୱନ୍ଦ୍ୱ ତେଜୁଥିବା କୁହାଯାଉଛି। ତା’ସହିତ କିଛି ରାଜ୍ୟସ୍ତରୀୟ ନେତାଙ୍କ ମାମଲାତି ବି ସ୍ଥିତି ବିଗାଡୁଛି। ଯେଉଁଥିପାଇଁ ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ କାର୍ଯ୍ୟକ୍ରମ, ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି ମାରପିଟ୍, ଗଣ୍ଡଗୋଳ ଭଳି ଘଟଣା ଯାହାକୁ ନେଇ ଟେନ୍‌ସନ୍‌ରେ ବିଜେଡି ସୁପ୍ରିମୋ। ଚାନ୍ଦବାଲି ଓ ଆଠଗଡ଼ ଭଳି ଅଧିକାଂଶ ସ୍ଥାନରେ ବିଜେଡି କନ୍ଦଳ ଦାଣ୍ଡର ପଡ଼ି ହାଟରେ ଗଡ଼ୁଛି।

ଭଦ୍ରକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ବ୍ଲକ ସଭାପତିଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଗୋଟିଏ ପଟେ ବିଧାୟକ ବ୍ୟୋମକେଶ ରାୟ, ବ୍ଲକ ସଭାପତି ପ୍ରତାପ ଧଳଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ୩୬ଟି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚଙ୍କୁ ନେଇ ବୈଠକ ଚଳାଇଛନ୍ତି। ଅନ୍ୟପଟେ ବିଜେଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସଭାପତି ପ୍ରତାପ ଧଳ ବି ତାଙ୍କ ସମର୍ଥକଙ୍କୁ ନେଇ ବୈଠକ ଚଳାଇଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରୁ, ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ବିଧାୟକ ଓ ବ୍ଲକ ସଭାପତିଙ୍କ ମଧ୍ୟରେ  ଏପରି ଟଣାଓଟରା ଲାଗି ରହିଛି।

କଟକ ଆଠଗଡ଼ ନିର୍ବାଚନମଣ୍ଡଳୀରେ ମଧ୍ୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିରୋଧୀ ଅଭୟ ବାରିକଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଅଭୟ ବାରିକଙ୍କ ନେତୃତ୍ୱରେ ବ୍ଲକ ଘେରାଉ ସହ ବିକ୍ଷୋଭ ପଦର୍ଶନ ଚାଲିଥିବା ବେଳେ ବ୍ଲକ ପରିସରରେ ୩ଟି ବୋମାମାଡ଼ ହୋଇଥିଲା। ଏଥିପାଇଁ ବିଧାୟକଙ୍କୁ ଦାୟୀ କରିଥିଲେ ଅଭୟ। ବିଧାୟକଙ୍କ ସମର୍ଥକମାନେ ବୋମାମାଡ଼ କରିଥିବା ସେ ଅଭିଯୋଗ କରିଥିଲେ। ତେବେ ବିଧାୟକଙ୍କ ସପକ୍ଷରେ ବାହାରି ଆଠଗଡ଼ ବ୍ଲକ୍ ବିଜେଡି ସଭାପତି କହିଛନ୍ତି ଅଭୟ ନିଜେ ବୋମାମାଡ଼ କରି ଜନମତକୁ ବିଭ୍ରାନ୍ତ କରୁଛନ୍ତି।

ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏମିତି ସ୍ଥିତି ରହିଛି। ମହାନଦୀ ସୁରକ୍ଷା ଅଭିଯାନ ବେଳେ ଦଶପଲ୍ଲାରେ ମଧ୍ୟ ହାତାହାତି ହୋଇଥିଲେ ବିଧାୟକ ସମର୍ଥକ ଓ ବିରୋଧୀ। ତା’ସହିତ କିଛି ରାଜ୍ୟସ୍ତରୀୟ ନେତାଙ୍କ ମାତ୍ରାଧିକ ମାମଲାତି ଯୋଗୁଁ ବିଶୃଙ୍ଖଳା ବଢୁଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଅଡ଼ୁଆରେ ପଡ଼ିଛି ବିଜେଡି।

୧୮ ବର୍ଷ ଭିତରେ ବିଜେଡି ଯାହା ସାମ୍ନା କରି ନ ଥିଲା ଏବେ ସେସବୁ ସମସ୍ୟା ଦଳ ଆଗରେ ଉଭା ହେବାରେ ଲାଗିଛି। ନିର୍ବାଚନ ଠିକ୍ ପୂର୍ବରୁ ଘରକଳି ବଢ଼ୁଥିବା ଯୋଗୁଁ ବିଜେଡି ମୁଖିଆଙ୍କୁ ଚିନ୍ତାରେ ପକାଉଛି।

You might also like