ବିଜେପୁର ବ୍ୟାଟେଲ: ସକାଳ ୮ରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ

ବରଗଡ଼: ଆଜି  ବିଜେପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ଜନାଦେଶ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି।

୧୪ଟି ଟେବୁଲରେ ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ଗଣତି ବେଳେ ୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବେ। EVMରେ ସିଲ୍ ହୋଇରହିଛି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ।

ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବିଜୟ ପାଇଁ ଦୃଢ ନିଶ୍ଚିତ। ରୀତାଙ୍କ ଆକଳନରେ ତାଙ୍କ ବିଜୟର ବ୍ୟବଧାନ ହେଉଛି ୩୦ରୁ ୪୦ ହଜାର ଭୋଟ। ନବୀନଙ୍କ ଲୋକପ୍ରିୟତା ଓ ସୁବଳଙ୍କ ଭଲ କାମ ପାଇଁ ନିଜ ବିଜୟ ନେଇ ଏମିତି ଦମ୍ଭ ଧରିଛନ୍ତି ରୀତା।

ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନିଜ ଜିତିବା ନେଇ ବେଶ ନିଶ୍ଚିତ। ହେଲେ ବିଜୟ ବ୍ୟବଧାନର ଗଣିତରେ ସଂଖ୍ୟାକୁ ଟିକିଏ କମାଇ ଦେଉଛନ୍ତି ଅଶୋକ।  ପ୍ରଥମେ ୩୦ହଜାର ଭୋଟରେ ଜିତିବା କଥା କହୁଥିବା ଅଶୋକ ଏବେ ୨୦ହଜାର କଥା କହୁଛନ୍ତି।

ଅନ୍ୟପକ୍ଷରେ, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଜିତିବା ଗଣିତ ଅନ୍ୟ ମାନଙ୍କ ତୁଳନାରେ କମ୍। ୫ରୁ ୧୦ ହଜାର ଭୋଟରେ ବିଜେପୁରର ବିଜୟ ମୁକୁଟ ଲଗାଇବାର ଦମ୍ଭ ରଖୁଛନ୍ତି ପ୍ରଣୟ। ତେବେ ବିଡମ୍ବନା ହେଉଛି ପ୍ରଣୟଙ୍କ ପାଇଁ ପ୍ରଚାର କରିଥିବା ଦଳର ହେଭିଓ୍ୱେଟ ନିରଞ୍ଜନ ପଟ୍ଟନାୟକ ବିଜୟ ନେଇ ଦମ୍ଭୋକ୍ତି ନ କରି ବରଂ ହାତ ଟେକି ଦେଇଛନ୍ତି।  ଠିକ୍‌ ଭାବରେ ପ୍ରସ୍ତୁତି ନ କରି ଲଢି ନଥିବାରୁ ଜିତିବା କଷ୍ଟକର ବୋଲି କହିଛନ୍ତି ନିରଞ୍ଜନ।

You might also like