ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍
ଭୁବନେଶ୍ୱର: ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ରୁ ଯାତ୍ରୀ ଭିଡ଼ କମାଇବା ଲକ୍ଷ୍ୟରେ ବାରଙ୍ଗ ନିକଟରେ ଏହା ନିର୍ମାଣ ହୋଇଛି।
ପରୀକ୍ଷାମୂଳକ ଭାବେ ଏହି ଷ୍ଟେସନରେ ୩ଟି ଯାତ୍ରୀବାହୀ ଟ୍ରେନ୍ ରହିବ। ପୁରୀ-ହାଓ୍ୱଡ଼ା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଓ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍ରେ ରହିବ। ଏହି ଷ୍ଟେସନ୍ରେ ୬ଟି ପ୍ଳାଟ୍ଫର୍ମ ରହିଛି। ଏକକାଳୀନ ଟ୍ରେନ୍ ରହଣି ପାଇଁ ମଧ୍ୟ ବନ୍ଦୋବସ୍ତ ରହିଛି।
ମୁଖତଃ ପଟିଆ, ରଘୁନାଥପୁର , ଚନ୍ଦ୍ରଶେଖରପୁର ଏବଂ ବାରଙ୍ଗ ଅଞ୍ଚଳର ଲୋକଙ୍କୁ ଏହି ଅତ୍ୟାଧୁନିକ ଷ୍ଟେସନ୍ ମିଳିବ। ଏହାସହ ରଥଯାତ୍ରା ପୂର୍ବରୁ ରେଳ ଷ୍ଟେସନ୍ ଉଦ୍ଘାଟନ ହେଉଥିବା ଯୋଗୁଁ ବହୁ ସଂଖ୍ୟାରେ ଲୋକ ଉପକୃତ ହେବେ। ସେହିପରି ନିକଟରେ ନନ୍ଦନକାନନ ଥିବା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।
୨୦୧୨ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯାଇଥିବା ଜଣାପଡ଼ିଛି।