ଦ୍ୱିତୀୟ ବିବାହ କରିବେ ଭୋଜପୁରୀ ସୁପରଷ୍ଟାର
ଭୋଜପୁରୀ ଫିଲ୍ମର ସୁପରଷ୍ଟାର ପବନ ସିଂହ ଏବେ ପୁଣି ଚର୍ଚ୍ଚାରେ। ସେ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ଚାରିଆଡେ ଆଲୋଚନା। ଉତ୍ତର-ପ୍ରଦେଶର ବଲିୟାରେ ରହୁଥିବା ଜ୍ୟୋତି ସିଂହ ସାଜିବେ ତାଙ୍କ ନବବଧୂ। ପ୍ରେମିକାରୁ ହେବେ ପତ୍ନୀ। ଏଥିପାଇଁ ଜୋରସୋର୍ରେ ବିବାହର ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି।
ଏହି ବିବାହକୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏ ଖବର ହାଟରେ ପଡ଼ି ବାଟରେ ଗଡୁଛି। ଆଜି ବଲିୟାସ୍ଥିତ ଶଙ୍କର ହୋଟେଲ୍ରେ ପବନଙ୍କ ସହ ଜ୍ୟୋତିଙ୍କର ବାହାଘର ହେଉଛି। ମିଳିଥିବା ଖବର ଅନୁସାରେ, ପୂର୍ବରୁ ଦୁହେଁ କୋର୍ଟ ମ୍ୟାରେଜ୍ କରିସାରିଛନ୍ତି। ଆଜି ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ।
ଅଭିନେତା ପବନ ସିଂହ ବିହାରର ଆରା ଅଞ୍ଚଳର ମୂଳ ବାସିନ୍ଦା। ସେ ଡ଼ଜନେରୁ ଅଧିକ ଭୋଜପୁରୀ ଫିଲ୍ମ ଓ ୧୦୦ରୁ ଅଧିକ ଆଲବମ୍ରେ ଅଭିନୟ କରିସାରିଛନ୍ତି। ନିକଟରେ ପବନ ସିଂହ ବିଜେପିରେ ମଧ୍ୟ ସାମିଲ୍ ହୋଇଛନ୍ତି। ଜ୍ୟୋତି ସିଂହଙ୍କ ସହ ଏହା ହେଉଛି ପବନ ସିଂହଙ୍କର ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ସ୍ତ୍ରୀ ନିଲମ୍ ୮ମାର୍ଚ୍ଚ ୨୦୧୫ରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ପବନଙ୍କର ନାମ ଅନେକ ଅଭିନେତ୍ରୀଙ୍କ ସହ ସଂପର୍କ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ପବନ ଏହାକୁ ମିଛ ଓ ଗୁଜବ ବୋଲି କହିଛନ୍ତି। ଏବେ ସେସବୁର ଅନ୍ତ ଘଟିଛି। ପବନ ଓ ଜ୍ୟୋତି ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି।