ଧରମ ପୁଅର ଅଧର୍ମ କାଣ୍ଡ

ସମ୍ପର୍କୀୟା ଭଉଣୀକୁ ଦୁଷ୍କର୍ମ ସହ ମା'ଙ୍କୁ ହତ୍ୟା

ଭଦ୍ରକ: ଧରମ ପୁଅ ରଚିଲା ଅଧର୍ମ କାଣ୍ଡ। ଧରମ ମା’ଙ୍କୁ ହତ୍ୟା, ଧରମ ଭଉଣୀକୁ ଦୁଷ୍କର୍ମ। ସମ୍ପର୍କର ବନ୍ଧ ଡେଇଁ ଭିଆଇଛି ଜଘନ୍ୟ କାରନାମା। ଅଭିଯୁକ୍ତର ନାଁ ବବୁଆ ମହାନ୍ତି। ସମୟ ବିଳମ୍ବିତ ରାତି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ତଥା ଧରମ ବାପାଙ୍କ ସହ ବାହାରକୁ ଯାଇଥିବା ବବୁଆ ଫେରିଆସିଥିଲା ଏକୁଟିଆ। ଆଉ କବାଟ ଖୋଲିବା କ୍ଷଣି ହଠାତ୍ ଶିଳପୁଆରେ ଆକ୍ରମଣ କଲା ନିଜ ଧରମ ମା’ଙ୍କୁ। ଏହାପରେ ଧରମ ଭଉଣୀକୁ ମୁହଁ ସହ ଗୋଡ଼, ହାତକୁ ବାନ୍ଧି ଫେରାର୍ ହୋଇଯାଇଥିଲା।

ଗତ ୧୦ ବର୍ଷ ହେଲା ଧରମ ପୁଅ ଭାବେ ବବୁଆ ମହାନ୍ତିର ଅବାଧ ପ୍ରବେଶ ଥିଲା ଏହି ଘରେ। ତେବେ ଗତରାତିରେ କାହିଁକି ଘଟିଲା ଏଭଳି ଆକସ୍ମିକ ଅଘଟଣ ? କେଉଁ ପରିସ୍ଥିତିରେ ନିଜ ଧରମ ମା’ଙ୍କୁ ହତ୍ୟା କଲା ବବୁଆ ? ହତ୍ୟାକାଣ୍ଡ ପରଠୁ ମୃତ ମହିଳାଙ୍କ ସ୍ୱାମୀ ଗଲେ କୁଆଡେ ? ଏସବୁ ଦିଗକୁ ଧରି ପୁଲିସ ତନାଘନା ଜାରି ରଖିଥିବାବେଳେ ବବୁଆ ନିଜ ଧରମ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା କହିଛନ୍ତି ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧର। ଶୋଇବା ଘରୁ ବାୟୋଲୋଜିକାଲ ସାମ୍ପଲ ସଂଗ୍ରହ କରାଯାଇ ଫୋରେନସିକ୍ ଲ୍ୟାବ୍‌କୁ ପଠାଇବା ସହ ସଂପୃକ୍ତ ଝିଅର ଡାକ୍ତରୀ ମାଇନା କରାଯାଇଥିବା ସେ କହିଛନ୍ତି।

ପୁଲିସ୍‌ ତଦନ୍ତରୁ ଆଶଙ୍କା କରାଯାଉଛି, ଝିଅକୁ ଦୁଷ୍କର୍ମ ବେଳେ ଧରାପଡ଼ିଯିବାରୁ ବବୁଆ ମାଙ୍କୁ ହତ୍ୟା କରିଥାଇପାରେ। ଆଉ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଭୟରେ କିମ୍ବା କୌଣସି ଅଘଟଣ ଯୋଗୁ ନିଖୋଜ ଥିବା ଆଶଙ୍କା କରାଯାଉଛି। ତେବେ କାରଣ ଯାହା ଥାଉ, ଅଭିଯୁକ୍ତକୁ ଧରିବା ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

You might also like