• translate
Odishatv Bureau

ପୁରୀ: କଥାରେ ଅଛି ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା। ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟର ହାତ ବଢ଼ାଇ ଅନ୍ୟମାନଙ୍କ ଲାଗି ସାଜିଛନ୍ତି ଉଦାହରଣ।

ହାତରେ ପେପର ତିଆରି ବାକ୍ସ। ଦୁଆର ଦୁଆର ବୁଲି ମାଗୁଛନ୍ତି ଭିକ। ଗୋଟିଏ କି ଦୁଇଟି ଗାଁ ନୁହଁ, କ୍ରମାଗତ ୧୫ରୁ ଅଧିକ ଗାଁ ବୁଲି ମାଗୁଛନ୍ତି ଭିକ।  ତେବେ ଏ ଭିକ ପେଟ ପାଟଣା ପାଇଁ ନୁହେଁ  ବରଂ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ। ଆଲୋକଙ୍କ ଚିକିତ୍ସା ପାଇଁ ଏମାନେ ଦୁଆର ଦୁଆର ବୁଲି ଭିକ୍ଷା ମାଗୁଛନ୍ତି।

କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକ ନିକଟରେ ଚିଲିକା ବୁଲି ଅଟୋରେ ଫେରିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଉ ସେହି ଦୁର୍ଘଟଣାରେ ଆଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ଆଲୋକଙ୍କୁ  ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ  ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ।

ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଡାକ୍ତର କହିବା ପରେ ଚିନ୍ତାରେ ଭାଙ୍ଗି ପଡିଥିଲେ ପରିବାର ଲୋକେ। ଆଉ ଏହି ସମୟରେ ସାହାଯ୍ୟର ହାତ ବଢାଇଥିଲେ ଆଲୋକଙ୍କ ସାଙ୍ଗସାଥୀ।  ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଗାଁଗାଁ ବୁଲି ଭିକ୍ଷା ମାଗିଥିଲେ।

ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୧୫ଦିନ ଧରି ବିଭିନ୍ନ ଗାଁ ବୁଲି ସଂଗ୍ରହ କରିଥିଲେ ଲକ୍ଷାଧିକ ଟଙ୍କା।  ଏହାପରେ ଭୁବନେଶ୍ୱର ଆସି ସମସ୍ତ ଟଙ୍କାକୁ ଆଲୋକଙ୍କ ବାପାଙ୍କୁ ପ୍ରଦାନ କରିଥିଲେ। ଏହି ଟଙ୍କାରେ ଆଲୋକଙ୍କର ଚିକିତ୍ସା ଚାଲିଛି। ପ୍ରକୃତରେ ଆଲୋକଙ୍କ ବନ୍ଧୁମାନେ ପୁଣି ଥରେ ପ୍ରମାଣ କରିଥିଲେ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ।

Other Stories