ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣା: ମାଷ୍ଟରମାଇଣ୍ଡ ମ୍ୟାନେଜରଙ୍କ ସହ ୨ ଗିରଫ
ବାରିପଦା: ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର ଓ ତାଙ୍କର ଦୁଇ ସହଯୋଗୀ। ବାରିପଦାର ମାଣିତ୍ରି ଶାଖାସ୍ଥିତ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆସିଛି। ଗତ ୫ ତାରିଖରେ ମ୍ୟାନେଜର ଭଞ୍ଜନ କର ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବ୍ୟାଙ୍କର ହେଡ୍ ଅଫିସ୍ରୁ ମାଣିତ୍ରି ଶାଖାକୁ ଯାଉଥିଲେ। ସେହି ସମୟରେ ତାଙ୍କର ଦୁଇ ଜଣ ସହଯୋଗୀ ନାଟକୀୟ ଢଙ୍ଗରେ ଭଞ୍ଜନଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ସମସ୍ତ ଟଙ୍କା ଲୁଟି ନେଇଥିଲେ। ଏହାପରେ ନିଜେ ମ୍ୟାନେଜର ଥାନାରେ ଏତଲା ଦେଇଥିଲେ।
ଏତଲା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ଏହାର ପର୍ଦ୍ଦାଫାସ ହୋଇଛି। ନିଜେ ମ୍ୟାନେଜର ଯୋଜନାବଦ୍ଧ ଭାବେ ଏହି ଲୁଟ୍ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଏ ନେଇ ପୋଲିସ୍ ଆଜି ମ୍ୟାନେଜର ଭଞ୍ଜନ କର ଓ ତାଙ୍କର ଦୁଇ ସହଯୋଗୀ ଯଥା ବନ୍ଧନ ବ୍ୟାଙ୍କର ଜଣେ କର୍ମଚାରୀ ସୀତାରାମ ସାହୁ ଏବଂ ତାଙ୍କର ଜଣେ ସାଙ୍ଗ ବ୍ରଜଶେଖର ପ୍ରଧାନଙ୍କୁ ଗିରଫ କରିଛି।