ଓଡିଶା ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ

ଭୁବନେଶ୍ୱର: ଓଡିଶା ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ। କେବଳ କେନ୍ଦ୍ରାପଡା ଜିଲ୍ଲାରେ ଏବେ ୨ ହଜାରରୁ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି।

ସୂଚନା ଅନୁସାରେ, ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଏମାନେ ସ୍ଥାନୀୟ ଅଧିକାରୀଙ୍କୁ ହାତକରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ଭୋଟ ପରିଚୟପତ୍ର ଆଦି ହାତେଇବାରେ ମଧ୍ୟ ସଫଳ ହେଉଛନ୍ତି।  ଯାହାକି ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷାପ୍ରତି ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି।

କେବଳ ଜଳଭାଗରେ ଗଳିପୋଛି ନୁହେଁ ଏବେ ପଶ୍ଚିମବଙ୍ଗ ସୀମା ଡେଇଁ ବାଂଲାଦେଶୀ ନାଗରିକ ଓଡ଼ିଶାରେ ପହଞ୍ଚୁଥିବା ସୂଚନା ମିଳିଛି। ତା ସହିତ ମିଆଁମାରରୁ ବିସ୍ଥାପିତ ରୋହିଙ୍ଗିଆ ଶରଣାର୍ଥୀ ମଧ୍ୟ ଏବେ ବାଂଲାଦେଶର ବିଭିନ୍ନ ଅସ୍ଥାୟୀ ଶିବିରରେ ରହିବା ସହ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖୋଜୁଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହ ଏମାନେ ମଧ୍ୟ ଓଡ଼ିଶାରେ ପହଞ୍ଚିବା ଆଶଙ୍କାକୁ ଏଡେଇ ଦେଇହେବ ନାହିଁ। ଖାସ୍ କରି ଉପକୂଳବର୍ତ୍ତି ଜିଲ୍ଲା କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ବାଂଲାଦେଶୀଙ୍କ ବହୁଳ ଉପସ୍ଥିତି ଅନୁପ୍ରବେଶ ସମସ୍ୟାକୁ ଜଟିଳ କରିପାରେ।

କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ୨ ହଜାରରୁ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଥିବା ବେଳେ ସେମାନେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ହେଉଥିବା ନଜରକୁ ଆସୁଛି ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ଦରକାର ବୋଲି ମତ ପ୍ରକାଶ ପାଇଛି।

କେନ୍ଦ୍ରାପଡ଼ାର ମହାକାଳପଡ଼ା ଅଞ୍ଚଳକୁ ଅନୁପ୍ରବେଶକାରୀ ନିଜପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। ୧୯୭୧ରେ କିଛି ବାଂଲାଦେଶୀ ଶରଣାର୍ଥୀଙ୍କୁ ଏଠାରେ ରହିବାକୁ ଅନୁମତି ଦିଆଯାଇଥିଲା। ତା’ପରଠାରୁ ଜିଲ୍ଲାରେ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଶରଣାର୍ଥୀଙ୍କ ଜରିଆରେ ବହୁ ବାଂଲାଦେଶୀ ନାଗରିକ ବେଆଇନ ଭାବେ ଆସି ଜିଲ୍ଲାରେ ରହୁଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ସ୍ଥାନୀୟ ଅଧିକାରୀଙ୍କୁ ହାତ କରି  ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ଭୋଟ ପରିଚୟପତ୍ର ହାସଲ କରିବା ସହ ନାଗରିକ ପାଲଟି ଗଲେଣି। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

୨୦୦୪ରେ ୧୫ଶହ ୫୧ ଜଣ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା ଛାଡ଼ିବାକୁ ନୋଟିସ୍ ଜାରି କରିଥିଲେ ସରକାର।  ମାତ୍ର ତାଲିକାରେ ତ୍ରୁଟି ଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିଛି ଶରଣାର୍ଥୀ। ଫଳରେ ଏବେ ସୁଦ୍ଧା ଜଣେ ବି ବାଂଲାଦେଶୀ ନାଗରିକଙ୍କୁ ଦେଶାନ୍ତର କରାଯାଇପାରିନାହିଁ।

You might also like