ତେଜିଲା ଉତ୍କଳ-ଓଡ଼ିଶା ବିବାଦ

ଭୁବନେଶ୍ୱର : ବନ୍ଦେ ଉତ୍କଳ ବନାମ ବନ୍ଦେ ଓଡ଼ିଶା। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ମନ୍ତବ୍ୟ ପରଠୁଁ ଜୋର ଧରୁଛି ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଉତ୍କଳ ବଦଳରେ ଓଡିଶା ଶବ୍ଦ ବ୍ୟବହାର ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ମନ୍ତବ୍ୟ ଯଥାର୍ଥ। ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପ୍ରଚେଷ୍ଟା ବନ୍ଦ କରାଯାଉ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ସମିତି।

ସମାନ ପ୍ରସଙ୍ଗରେ ରାଜଧାନୀରେ ଗର୍ଜିଛି ପଶ୍ଚିମ ଓଡ଼ିଶା ଯୁବ ମୋର୍ଚ୍ଚା। କିଛି ସଂକୀର୍ଣ୍ଣମନା ରାଜନେତା, ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରୁଥିବାବେଳେ ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଂଗୀତ ମାନ୍ୟତା ପାଇଁ କରାଯାଉଥିବା ଚକ୍ରାନ୍ତ କଦାପି ଗ୍ରହଣୀୟ ନୁହେଁ ବୋଲି ମୋର୍ଚ୍ଚାର ସଦସ୍ୟ କହିଛନ୍ତି। ବନ୍ଦେ ଉତ୍କଳ ଜନନୀକୁ ନେଇ ଉପୁଜିଥିବା ଏଭଳି ବାଦବିବାଦ ପରେ ଆଜି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଗବେଷକ ଏବଂ ବରିଷ୍ଠ ସାହିତ୍ୟିକ। ଓଡ଼ିଶାର ପ୍ରତିଶଦ୍ଦ ହେଉଛି ଉତ୍କଳ। ତେଣୁ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ଗବେଷକମାନେ ମତ ରଖିଥିବାବେଳେ ଭାଷାବିତ ଏବଂ ବରିଷ୍ଠ ସାହିତ୍ୟିକ କହିଛନ୍ତି ଏହି ଗୀତର ଲେଖକଙ୍କ ଭାଷା ପ୍ରୟୋଗଶୈଳୀକୁ ସମ୍ମାନ ଜଣାଇବା କଥା। ଏହାକୁ ଅଯଥା ବିବାଦୀୟ କରାନଯାଉ। ଜାତୀୟ ସଂଗୀତରେ ବର୍ତ୍ତମାନ ବି ଉତ୍କଳ ଶବ୍ଦ ଥିବାବେଳେ ବନ୍ଦେ ଉତ୍କଳ ଜନନୀରେ ଓଡ଼ିଶା ଶଦ୍ଦର ବ୍ୟବହାର ଅନାବଶ୍ୟକ ବୋଲି ସେମାନେ ମତ ରଖିଛନ୍ତି।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଂଗୀତର ମାନ୍ୟତା ଦେବା ଲାଗି ଦାବି ଜୋର ଧରିଥିବା ବେଳେ ଏହାକୁ ଏଡେଇ ଦେବା ଲାଗି ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ଆଳ କରାଯାଉନାହିଁ ତ ? ତାକୁ ନେଇ ଉଠିଛି ପ୍ରଶ୍ନ।

You might also like