ଦୁର୍ବୃତ୍ତଙ୍କ ବାଁ ହାତର ଖେଳ ପାଲଟିଛି ଏଟିଏମ୍ ଲୁଟ୍‌

ଖୋର୍ଦ୍ଧା : ଏଟିଏମ୍ ଲୁଟେରାଙ୍କ ମିଡ୍‌ନାଇଟ୍ ଅପରେସନ୍। ରାତିକ ଭିତରେ ୨ଟି ଏଟିଏମ୍ ସଫା। ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ୨ଟି ସ୍ଥାନରେ ଲୁଟେରା ବୁଲାଇ ଦେଇଛନ୍ତି କଳାକନା। ମାତ୍ର ୪୦ ମିନିଟ୍‌ର ଅଭିନବ ଅପରେସନ କରି ଲୁଟିନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ରାତି ୩ଟା ୨ମିନିଟ୍। ହଠାତ୍ ବନ୍ଦ ହୋଇଗଲା ପୁରୀ ଜିଲ୍ଲା ଗଡ଼ ଜଙ୍କିଆର ଆକ୍ସିସ ବ୍ୟାଙ୍କର ଏଟିଏମ୍‌ର ସିସିଟିଭି। ଦିଲ୍ଲୀ ସ୍ଥିତ ଆକ୍ସିସ୍‌ ବ୍ୟାଙ୍କର ହେଡ୍ ଅଫିସରୁ ଫୋନ୍ କଲ ପାଇ ଘଟଣାସ୍ଥଳରେ ପହଞ୍ଚିଲା କଣାସ ପୋଲିସ। ସେତିକି ବେଳକୁ ଆଇରନ୍ ଚେଷ୍ଟ କାଟି ୨୬ ଲକ୍ଷ ୫୫ ହଜାର ଟଙ୍କା ଧରି ଚମ୍ପଟ ମାରିସାରିଥିଲେ ଦୁର୍ବୃତ୍ତ।

ରାତି ୩ଟା ୪୦ ମିନିଟ୍। ଖୋର୍ଦ୍ଧା ନିରାକାରପୁର ଶ୍ରୀରାମ ବଜାର କଲେଜ ଛକ ଆକ୍ସିସ୍ ବ୍ୟାଙ୍କର ଏଟିଏମ୍‌ରେ ପଶିଲେ ଦୁର୍ବୃତ୍ତ। ଏଠିବି ଆଇରନ୍ ଚେଷ୍ଟ କାଟି ଲୁଟିନେଇଗଲେ ୧୧ ଲକ୍ଷ ୨୭ ହଜାର ଟଙ୍କା। ଆଉ ସାଙ୍ଗରେ ନେଇଗଲେ ସିସିଟିଭିର ହାର୍ଡଡିସ୍କ। ପୂର୍ବରୁ ଟଙ୍କା ଭର୍ତ୍ତି ଆଇରନ୍ ଚେଷ୍ଟକୁ ନେଇଯାଉଥିଲେ ହେଁ, ଟଙ୍କା କାଢ଼ିବାରେ ବିଫଳ ହେଉଥିଲେ ଦୁର୍ବୃତ୍ତ।  ଏବେ କିନ୍ତୁ ବଦଳିଛି ଏଟିଏମ୍ ଲୁଟେରାଙ୍କ ଲୁଟତରାଜ୍ ଷ୍ଟାଇଲ୍। ଅତ୍ୟାଧୁନିକ କୌଶଳରେ ଏଟିଏମର ଆଇରନ୍ ଚେଷ୍ଟ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଛନ୍ତି ଲୁଟେରା। ଗତ ୫ ତାରିଖ ରାତିରେ ବାଲେଶ୍ୱରର ସୁନ୍‌ହଟ ଏବଂ ଆଇଟିଆଇ ଛକର ଏସ୍‌ବିଆଇ ଏଟିଏମ୍‌ର ଆଇରନ୍ ଚେଷ୍ଟ ଭାଙ୍ଗି ୩୬ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ।

ଆଉ ଗତ ରାତିରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସମାନ ଢଙ୍ଗରେ କେବଳ ଆକ୍ସିସ ବ୍ୟାଙ୍କର ଏଟିଏମରୁ ଦୁର୍ବୃତ୍ତ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ଆକ୍ସିସ ବ୍ୟାଙ୍କର ଦୁଇ ଦୁଇଟି ଏଟିଏମ୍‌କୁ ଦୁର୍ବୃତ୍ତ ଟାର୍ଗେଟ୍ କଲେ କାହିଁକି ? ଏହା ସଂଯୋଗ ମାତ୍ର ନା ଦୁର୍ବୃତ୍ତଙ୍କ ବିଧିବଦ୍ଧ ଯୋଜନା ଥିଲା ? ଆକ୍ସିସ ବ୍ୟାଙ୍କ୍ ଏଟିଏମ୍‌ରୁ ଟଙ୍କା ଲୁଟିବା ପାଇଁ ଲୁଟେରାମାନେ କିଛି ନୂଆ ତରିକା ପାଇନାହାଁନ୍ତି ତ ?

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ହେଁ କାହିଁକି ଏଟିଏମ୍ ଗୁଡ଼ିକରେ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯାଉନାହିଁ ? ଆଉ କେତେ ଚୋର ଗଲା ପରେ ବୁଦ୍ଧି ପଶିବ ପୋଲିସ ଏବଂ ବ୍ୟାଙ୍କର କର୍ତ୍ତୃପକ୍ଷ ମାନଙ୍କର ?

You might also like