ରାଜ୍ୟବ୍ୟାପୀ ଅଟୋ, ଟ୍ୟାକ୍ସି ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜି ରାଜ୍ୟ ବ୍ୟାପୀ ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ଦିନିକିଆ ଧର୍ମଘଟ।  ଅଟୋ,ଟ୍ୟାକ୍ସି ଚାଳକଙ୍କ ଜୀବନ ଜୀବିକା ରକ୍ଷା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ ଏହି ଧର୍ମଘଟ ଡାକରା ଦେଇଛି।

ମହାସଂଘ ଅଭିଯୋଗ କରିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଟୋ ମାରଣନୀତି କରୁଛନ୍ତି। ସହରାଞ୍ଚଳରେ ଅଟୋ ରିକ୍ସା ଓ ପ୍ରାଇଭେଟ ଟ୍ୟାକ୍ସି  ନ ଚଳାଇବାର ନିୟମ କରିଛନ୍ତି।

ସ୍ମାର୍ଟ ସିଟି ହେବା ପରେ ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ଆଉ ଅଟୋ ରିକ୍ସା, ଟ୍ୟାକ୍ସି ଚଳାଇବାକୁ ଅନୁମତି ମିଳିବ ନାହିଁ।  ଏହା ଦ୍ୱାରା ହଜାର ହଜାର ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ପ୍ରଭାବିତ ହେବେ। ତେଣୁ ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି।  ତା ସହିତ ରାଜ୍ୟ ଓ କେନ୍ଦ୍ର ସରକାର ମାତ୍ରାଧିକ ପରିବହନ ଟିକସ୍ ଆଦାୟ କରୁଛନ୍ତି।

ବୀମା ପ୍ରିମିୟମ ବୃଦ୍ଧି ହୋଇଛି, ଫିଟନେସ୍ ଟିକସ ବୃଦ୍ଧି ହୋଇଛି।  ଏପରିକି ଦୈନିକ ୫୦ ଟଙ୍କା ଜୋରିମାନା ଆଦାୟ କରୁଛନ୍ତି। ପୁଣି ତେଲ ଦର ବଢୁଛି।  ଏସବୁର ପ୍ରତିବାଦରେ ଆଜି ଧର୍ମଘଟ ଡାକରା ଦେଇଥିବା ମହାସଂଘ ପକ୍ଷରୁ କୁହାଯାଇଛି।  ଏହି ଆନ୍ଦୋଳନରେ ୧ ଲକ୍ଷ ୩୫ ହଜାର ଅଟୋ ଓ ପ୍ରାୟ ୧୦ ହଜାର ଟ୍ୟାକ୍ସି ଚାଳକ ସାମିଲ ହୋଇଥିବା ଜଣାପଡ଼ିଛି।

You might also like