ଧରା ପଡ଼ିଲା ଏଟିଏମ୍ ଲୁଟେରା
କନ୍ଧମାଳ: ଲୋକଙ୍କୁ ଭୁଆଁ ବୁଲାଇ ଏଟିଏମ୍ରୁ ଟଙ୍କା ଉଠାଇ ପୋଲିସ୍କୁ ଚକ୍ମା ଦେଇ ଫେରାର ଥିବା ଜଣେ ଏଟିଏମ୍ ଲୁଟେରାକୁ ପୋଲିସ ଗିରଫ କରିଛି।
ଅଭିଯୁକ୍ତ ଜଣକ ହେଉଛି କନ୍ଧମାଳ ଟିକାବାଲି ଅଞ୍ଚଳର ପ୍ରଭାକର ପ୍ରଧାନ। ତା’ ନିକଟରୁ ପୋଲିସ ୨ ଲକ୍ଷ ଟଙ୍କା, ୧୩ଟି ଏଟିଏମ୍ କାର୍ଡ ଓ ଗୋଟିଏ ବାଇକ୍ ଜବତ କରିଛି।
ପ୍ରଭାକର ବ୍ରହ୍ମପୁରରେ ଭଡ଼ାରେ ରହି ଆଖପାଖ ଅଞ୍ଚଳର ଏଟିଏମ୍ରୁ ଲୁଟ୍ କରୁଥିଲା। ଭଲଭାବରେ ଏଟିଏମ୍ ବ୍ୟବହାର କରି ଜାଣୁନଥିବା ଲୋକଙ୍କଠାରୁ ଏଟିଏମ୍ କାର୍ଡ ଓ ପାସ୍ଓ୍ୱାର୍ଡ ନେଇ ଚାଲାକି କରି ସେ ଟଙ୍କା ଉଠାଇ ନେଉଥିଲା।
ଜଣେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ପ୍ରଭାକରର ଏହି ଚାଲାକି ବିଷୟରେ ଜାଣିପାରିଥିଲା। ହେଲେ ପୋଲିସକୁ ଚକ୍ମା ଦେଇ ସେ ଫେରାର ହୋଇଯାଇଥିଲା। ସାବିତ୍ରୀ ଅମାବାସ୍ୟା ପାଇଁ ଘରକୁ ଆସିଥିବା ବେଳେ ପୋଲିସ ହାତରେ ସେ ଧରାପଡ଼ିଛି। ତା’ର ଜଣେ ସହଯୋଗୀ ମଧ୍ୟ ଏବେ ବି ଫେରାର ଅଛି।