ଆରପାରିରେ ଅଟଳ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପରଲୋକ ଘଟିଛି। ଗତକାଲିଠୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ବାଜପେୟୀଙ୍କ ପରଲୋକ ନେଇ ଏମ୍ସ ପକ୍ଷରୁ ହେଲ୍ଥ ବୁଲେଟିନ୍ ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ୨୪ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ହୋଇପଡ଼ିଥିଲା।
ଆଜି ଅପରାହ୍ନ ୫ଟା ୦୫ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରମାନେ ତାଙ୍କୁ ବଂଚାଇବାକୁ ଗତକାଲିଠାରୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ବାଜପେୟୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦେଶବ୍ୟାପୀ ତାଙ୍କର ସୁସ୍ଥତା କାମନା କରି ପୂଜାପାଠ ଆରମ୍ଭ ହୋଇଯାଇଥିଲା।
ବାଜପେୟୀଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତ ଶୋକ ପ୍ରକାଶ କରିଛନ୍ତି।
पूर्व प्रधानमंत्री व भारतीय राजनीति की महान विभूति श्री अटल बिहारी वाजपेयी के
देहावसान से मुझे बहुत दुख हुआ है। विलक्षण नेतृत्व, दूरदर्शिता तथा अद्भुत भाषण उन्हें
एक विशाल व्यक्तित्व प्रदान करते थे।उनका विराट व स्नेहिल व्यक्तित्व हमारी स्मृतियों में बसा रहेगा—राष्ट्रपति कोविन्द— President of India (@rashtrapatibhvn) 16 August 2018
अटल जी आज हमारे बीच में नहीं रहे, लेकिन उनकी प्रेरणा, उनका मार्गदर्शन, हर भारतीय को, हर भाजपा कार्यकर्ता को हमेशा मिलता रहेगा। ईश्वर उनकी आत्मा को शांति प्रदान करे और उनके हर स्नेही को ये दुःख सहन करने की शक्ति दे। ओम शांति !
— Narendra Modi (@narendramodi) 16 August 2018
ଜୀବନୀ
୧୯୨୪ ମସିହା ଡିସେମ୍ବର ୨୫ରେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ଜନ୍ମ ହୋଇଥିଲେ ଅଟଳ ବିହାରୀ ବାଜପେୟୀ। ପ୍ରଥମେ ଗ୍ୱାଲିୟର ଭିକ୍ଟୋରିଆ କଲେଜ ଏବଂ ପରେ କାନପୁର ଡିଏଭି କଲେଜରେ ପାଠ ପଢ଼ା ଶେଷ କରିଥିଲେ। ରାଜନୀତି ବିଜ୍ଞାନରେ MA ପାସ୍ କରିବା ସହ ଜଣେ ସମାଜସେବୀ, ସାମ୍ବାଦିକ ଓ ବକ୍ତା ଭାବେ ତାଙ୍କର ଖ୍ୟାତି ବଢିଥିଲା। ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇ ସେ ଜେଲ୍ ଯାଇଥିଲେ।
ରାଜନୈତିକ ଜୀବନ
୧୯୫୧ ମସିହାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଜନ ସଂଘର ଜଣେ ପ୍ରତିଷ୍ଠାତା ସଭ୍ୟ ରୂପେ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୫୭ରୁ ଆରମ୍ଭ ହୋଇଥିଲା ତାଙ୍କର ସାଂସଦ ଜୀବନ। ୧୯୫୭ରୁ ୭୭ ପର୍ଯ୍ୟନ୍ତ ପାର୍ଲାମେଣ୍ଟରେ ଭାରତୀୟ ଜନସଂଘର ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୭୭ରୁ ୮୦ ପର୍ଯ୍ୟନ୍ତ ଜନତା ପାର୍ଟିର ପ୍ରତିଷ୍ଠାତା ସଭ୍ୟ ଥିଲେ। ୧୯୭୫ରେ ଦେଶରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା, ସେତେବେଳେ ତାଙ୍କୁ ଅଟକ ରଖାଯାଇଥିଲା। ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ଉଠିଲା ଏବଂ ସାଧାରଣ ନିର୍ବାଚନରେ ବିରୋଧୀମାନେ ଇନ୍ଦିରାଙ୍କୁ ମାତ୍ ଦେଲେ। ମୋରାର୍ଜୀ ଦେଶାଇଙ୍କ ସରକାରରେ ବାଜପେୟୀ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସେହି ସମୟରେ ମିଳିତ ଜାତିସଂଘର ତାଙ୍କର ହିନ୍ଦୀ ଭାଷଣ ଥିଲା ଏକ ଐତିହାସିକ ମୁହୂର୍ତ୍ତ।
୧୯୮୦ରୁ ୮୬ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେ ବାଜପେୟୀ। ହେଲେ ତାଙ୍କ ନେତୃତ୍ୱରେ ସେତେବେଳେ କେବଳ ବିରୋଧୀ ଭୂମିକାରେ ହିଁ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଥିଲା।
୮୦ ଦଶକର ଶେଷଭାଗରେ ବୋଫର୍ସ ଭୂତ କଂଗ୍ରେସକୁ ଗୋଡାଇଥିଲା। ଏହା କେନ୍ଦ୍ରରେ ସରକାର ଗଠନ ପାଇଁ ଅଣକଂଗ୍ରେସ ଦଳ ପାଇଁ ସୁଯୋଗ ଆଣିଥିଲା। ବିଶ୍ୱନାଥ ପ୍ରତାପ ସିଂଙ୍କ ସରକାରକୁ ବାହାରୁ ସମର୍ଥନ ଦେଇଥିଲା ବିଜେପି। ତେବେ କେତେକ ଛୋଟବଡ଼ ଦଳର ନେତୃତ୍ୱ ନେଇ ୧୯୯୬ ମସିହାରେ କ୍ଷମତାକୁ ଆସିଥିଲା ବିଜେପି। ଆଉ ବାଜେପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ହେଲେ ଭାଗ୍ୟଦେବୀ ତାଙ୍କ ଉପରେ ସେତେଟା ପ୍ରସନ୍ନ ନଥିଲେ। ମାତ୍ର ୧୩ ଦିନ ପାଇଁ ବାଜପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ।
୧୯୯୮ରେ ସେ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ବର୍ଷ ପୋଖରାନରେ ଆଣବିକ ପରୀକ୍ଷଣ, ୧୯୯୯ରେ ପାକିସ୍ତାନକୁ ବସ୍ ଯାତ୍ରା ଭଳି ଘଟଣା ବିଶ୍ୱ ଦରବାରରେ ତାଙ୍କର ଭିନ୍ନ ଭାବମୂର୍ତ୍ତି ତିଆରି କରିଥିଲା।
୧୯୯୮–୯୯ରେ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ସତ୍ତ୍ୱେ ତାଙ୍କ ଶାସନ କାଳରେ ଭାରତର ଜିଡିପି ବୃଦ୍ଧି ହାର ୫.୮ ପ୍ରତିଶତରେ ପହଞ୍ଚି ଥିଲା।
କାର୍ଗିଲ ଯୁଦ୍ଧ
ତାଙ୍କ ସମୟରେ ପୁଣି ଥରେ ବିଶ୍ୱାସଘାତକତା କରିଥିଲା ପାକିସ୍ତାନ। ଗୋଟିଏ ପଟେ ଶାନ୍ତି କଥାବାର୍ତ୍ତା ଚାଲିଥିବା ବେଳେ ଅନ୍ୟପଟେ କାର୍ଗିଲକୁ ଅକ୍ତିଆର କରିବାକୁ ଚାହିଁଥିଲା ପଡ଼ୋଶୀ। ହେଲେ ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଥିଲେ। ଆଉ ୧୯୯୯ରେ ବାଜପେୟୀଙ୍କ ନେତୃତ୍ୱରେ ହିଁ ଏନଡିଏ କ୍ଷମତାକୁ ଫେରିଥିଲା। ପୁଣି ଥରେ ବାଜପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ସେ ୨୦୦୪ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।
୧୦ ଥର ଲୋକସଭା ଓ ୨ ଥର ରାଜ୍ୟ ସଭା ସାଂସଦ
ଦୀର୍ଘ ୫ ଦଶନ୍ଧିରୁ ଅଧିକ ସଂସଦୀୟ ଜୀବନରେ ବାଜପେୟୀ ୧୦ ଥର ଲୋକସଭାକୁ ଏବଂ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଥିଲେ ଏକମାତ୍ର ସାଂସଦ, ଯିଏ କି ବିଭିନ୍ନ ସମୟରେ ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ଭଳି ୪ଟି ରାଜ୍ୟରୁ ନିର୍ବାଚିତ ହୋଇଥିଲେ।
ବହୁ ସମ୍ମାନର ଅଧିକାରୀ
ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ୧୯୯୨ରେ ପଦ୍ମ ବିଭୂଷଣ, ୨୦୧୫ରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ବାଜପେୟୀ ହିନ୍ଦୀ ମାସିକ ‘ରାଷ୍ଟ୍ରଧର୍ମ’, ସାପ୍ତାହିକ ‘ପଞ୍ଚଜନ୍ୟ’, ଦୈନିକ ଖବରକାଗଜ ‘ସ୍ୱଦେଶ’ ଓ ‘ବୀର ଅର୍ଜୁନ’ର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ।
କବିତା ଓ ପୁସ୍ତକ
‘ମେରି ଇକ୍ୟାବନ କବିତାଏଁ’, ‘କ୍ୟା ଖୋୟା କ୍ୟା ପାୟ୍ୟା’, ‘ନୟୀ ଦିଶା, ‘ସମ୍ବେଦନ’ ଭଳି କବିତା ଓ ସଂସଦରେ ଦେଇଥିବା ମୂଲ୍ୟବାନ୍ ବକ୍ତୃତା ସମ୍ବଳିତ ପୁସ୍ତକ ପାଇଁ ସେ ବେଶ ପ୍ରସିଦ୍ଧ ଲାଭ କରିଥିଲେ।
ଫିକା ପଡ଼ି ଯାଇଥିଲା ବିଫଳତା
ବାଜପେୟୀଙ୍କ ମହାନତା ଆଗରେ ତାଙ୍କର କେତେକ ବିଫଳତା ଫିକା ପଡିଯାଇଥିଲା। ପ୍ରତବର୍ଷ ଡିସେମ୍ବର ୨୫ ତାଙ୍କ ଜନ୍ମଦିନକୁ ‘ଗୁଡ୍ ଗଭର୍ଣ୍ଣାସ ଡେ’ ଭାବେ ପାଳନ କରାଯାଇଆସୁଛି। ଦେଶବାସୀଙ୍କ ପାଇଁ ସେ ଥିଲେ ଆଦର୍ଶ। ଆଉ ସେହି ଆଦର୍ଶକୁ ଯଦି ଦେଶବାସୀ ଜୀବନରେ ସ୍ଥାନ ଦିଅନ୍ତି, ତେବେ ତା ହେଲେ ହିଁ ହେବ, ସେହି ମହାନ ନେତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି।