ବାଜପେୟୀଙ୍କ ଅବସ୍ଥା ଅତି ସଂକଟାପନ୍ନ

ନୂଆଦିଲ୍ଲୀ: ଏମ୍‌ସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏମ୍‌ସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା ବୁଲେଟିନରେ କୁହାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଦିଲ୍ଲୀ ଏମସ୍‌ରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତ କରିବେ। ସେ ଏମସ୍‌ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶୁଣି ବ୍ୟଥିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଗୃହମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏଲକେ ଆଡଭାନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଆଜି ସକାଳୁ ଏମ୍‌ସରେ ପହଞ୍ଚି ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖୁବଶୀଘ୍ର ଏମ୍‌ସରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି। ସେ ଗତ ରାତିରେ ଏମ୍‌ସ ଯାଇ ସେଠାରେ ପ୍ରାୟ ୫୦ ମିନିଟ୍‌ ରହିଥିଲେ।

You might also like