ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଜଳିଲା ବାଜପେୟୀଙ୍କ ଚିତା

ପାଳିତା ଝିଅ ନମିତା ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ରାଜନୀତିର ଅଜାତଶତ୍ରୁ ତଥା ଭାରତୀୟ ଜନତା ପାର୍ଟିର ବିଶିଷ୍ଟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମସ୍ତ ବୈଦିକ ରୀତୀନିତି ସହ ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା।


ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଳିତା କନ୍ୟା ନମିତା ବାପା ବାଜପେୟୀଙ୍କ ପାର୍ଥିର ଶରୀରରେ ମୁଖାଗ୍ନି ପ୍ରଦାନ କରିଥିଲେ। ବୈଦିକ ନୀତିନୀତି ଏବଂ ମନ୍ତ୍ରୋଚ୍ଚାରଣରେ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହୋଇଥିଲା। ଶେଷକୃତ୍ୟରେ ଯୋଗ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରିବାର ଲୋକେ। ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ର ପ୍ରତିନିଧି, ମାନଗଣ୍ୟ ବ୍ୟକ୍ତିଙ୍କ ଗହଣରେ ବାଜପେୟୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୩ ସେନା ପ୍ରମୁଖ ପ୍ରଥମେ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ବାଜପେୟୀଙ୍କୁ ସ୍ମୃତିସ୍ଥଳରେ ୨୧ ତୋପ ସଲାମୀ ପ୍ରଦାନ କରାଯାଇଥିଲା। ସ୍ମୃତିସ୍ଥଳରେ ବାଜପେୟୀଙ୍କୁ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଅାଡଭାନୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହାସହ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ବାଜପେୟୀଙ୍କ ପୋଷ୍ୟକନ୍ୟାଙ୍କ ଝିଅ ନିହାରିକା ମୁଖାର୍ଜୀଙ୍କୁ ବାଜପେୟୀଙ୍କ ଉପରେ ସମ୍ମାନାର୍ଥେ ରଖାଯାଇଥିବା ଜାତୀୟ ପତାକା ପ୍ରଦାନ କରାଯାଇଥିଲା।

ଏହାପରେ ସମସ୍ତ ହିନ୍ଦୁ ରୀତିନୀତି ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବାଜପେୟୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।

You might also like