ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟାନୁଷ୍ଠାନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ନୌ ପାସପୋର୍ଟ ସେବା କେନ୍ଦ୍ରରେ ଧର୍ମକୁ ନେଇ ମହିଳାଙ୍କ ଅପମାନ ପ୍ରସଙ୍ଗ। ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳାଙ୍କୁ ମିଳିଛି ନ୍ୟାୟ । ଗତକାଲି ଲକ୍ଷ୍ନୌର ପାସପୋର୍ଟ ସେବା କେନ୍ଦ୍ରକୁ ତନଭି ନାମକ ଜଣେ ମହିଳା ତାଙ୍କର ସ୍ୱାମୀ ଏବଂ ୬ ବର୍ଷର ଝିଅ ପାଇଁ ପାସପୋର୍ଟ ଆବେଦନ କରିବାକୁ ଯାଇଥିଲେ। ଦୁଇଟି କାଉଣ୍ଟରରେ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ତୃତୀୟ କାଉଣ୍ଟରରେ ମହିଳାଙ୍କୁ ଧର୍ମଙ୍କୁ ନେଇ ବିକାଶ ମିଶ୍ର ନାମକ କର୍ମଚାରୀ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା।

ଜଣେ ଇସଲାମ ଧର୍ମାବଲମ୍ବୀଙ୍କ ସହ କାହିଁକି ବିବାହ କରିଛ ବୋଲି ତନଭିଙ୍କୁ ପ୍ରଶ୍ନ ପଚାରିଥିଲେ କର୍ମଚାରୀ ବିକାଶ ମିଶ୍ର। ତାଙ୍କ ସ୍ୱାମୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ତନଭିଙ୍କୁ ପଚାରିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ତନଭି।

ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାସପୋର୍ଟ ଅଫିସ କର୍ମଚାରୀ ବିକାଶ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତାଙ୍କର ବଦଳି କରାଯାଇଛି। ଅଭିଯୋଗକାରୀ ମହିଳା ତନଭିଙ୍କୁ ତାଙ୍କର ପାସପୋର୍ଟ ପ୍ରଦାନ କରାଯାଇଛି। ତେବେ ପ୍ରସଙ୍ଗକୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।

ଅନ୍ୟପଟେ ଦୋଷୀ କର୍ମଚାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜବାବ ରଖିଛି ବିଜେପି।

 

You might also like