ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଅାସାମ ବାଲାଂଦେଶୀ ଅନୁପ୍ରବେଶ ଅାଶଙ୍କା। ସମୁଦ୍ରପଥରେ ଗଳାବାଟ ଦେଇ ଚାଲିଅାସିପାରନ୍ତି ଅାସାମ ନାଗରିକ ପଞ୍ଚିକାରୁ ବାଦ୍ ପଡ଼ିଥିବା ଶରଣାର୍ଥୀ। କାରଣ ବାଲେଶ୍ୱରରୁ ନେଇ ଗଞ୍ଜାମ। ଓଡ଼ିଶାକୁ ଘେରିଛି ୪୭୬ କିଲୋମିଟର ସୁଦୀର୍ଘ ବେଳାଭୂମି।
ଏଇ ବିଶାଳ ଉପକୂଳ ହିଁ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାକୁ ପ୍ରବେଶର ସହଜ ବାଟ ପାଲଟିଛି। ସେଦୃଷ୍ଟିରୁ ଅାସାମରୁ ଅନୁପ୍ରବେଶ ବି କଷ୍ଟସାଧ୍ୟ ନୁହେଁ। ସରକାରୀ ତଥ୍ୟ କହୁଛି ରାଜ୍ୟରେ ଏବେ ମାତ୍ର ୩ ହଜାର ୭ ଶହ ବାଂଲାଦେଶୀ ନାଗରିକ ଅଛନ୍ତି। ହେଲେ ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ଏବେ ୨୦ ଲକ୍ଷରୁ ଅଧିକ ବାଂଲଦେଶୀ ନାଗରିକ ବେଆଇନ ଭାବେ ବସବାସ କରୁଛନ୍ତି। ସେମାନଙ୍କ ସହଯୋଗରେ ଅନୁପ୍ରବେଶ ବଢ଼ିପାରେ।
ସେପଟେ ଅାସାମରୁ ବାଂଲାଦେଶୀ ନାଗରିକ ଓଡ଼ିଶା ଚାଲିଅାସିବା ଅାଶଙ୍କାକୁ ଦେଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ଉପକୂଳବର୍ତ୍ତୀ ଜିଲ୍ଲାର ଏସ୍ପି ଓ ମେରାଇନ୍ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଅାଯାଇଛି। ସେହିପରି ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ କୁହାଯାଇଥିବା ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଉପକୂଳର ସୁରକ୍ଷା ଓ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ ରାଜ୍ୟରେ ୧୮ଟି ସାମୁଦ୍ରିକ ଥାନା ରହିଛି। ସମୁଦ୍ରରେ ପାଟ୍ରୋଲିଂ ଲାଗି ୧୫ଟି ବୋଟ୍ ରହିଛି। ଏସବୁ ସତ୍ତ୍ୱେ ଓଡିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଜାରି ରହିଥିବା କୁହାଯାଉଛି। ଚିନ୍ତାପାଲଟିଛି ଏମାନଙ୍କୁ ମିଳୁଥିବା ରାଜନୈତିକ ପୃଷ୍ଠପୋଷକତା। ତେବେ ଏହାକୁ ରୋକିବାକୁ ଉଦ୍ୟମ କରାନଗଲେ ଓଡ଼ିଶାରେ ଅାସାମ ଭଳି ସ୍ଥିତି ସୃଷ୍ଟି ହେବା ଅାଶଙ୍କା ରହିଛି।