ଜେଲ୍ରେ ଅସୁସ୍ଥ ହୋଇପଡ଼ିଲେ ଜୟନାରାୟଣ: ଡାକ୍ତରଖାନାରେ ଭର୍ତ୍ତି
ବରଗଡ଼: ସୋହେଲା ଜେଲ୍ରେ ଥିବା ବିଜେପି ନେତା ଜୟନାରାୟଣ ମିଶ୍ର ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତି ଯନ୍ତ୍ରଣା ହେଉଥିବା କହିବା ପରେ ତାଙ୍କୁ ଥାନାରେ ଚିକିତ୍ସା କରାଯାଇଥିଲା। କିନ୍ତୁ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ବନାବିରା ଗୁଳିକାଣ୍ଡ ମାମଲାରେ ଏପ୍ରିଲ୍ ୧୫ ତାରିଖରେ ଜୟନାରାୟଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ଗୁଳିକାଣ୍ଡରେ ବିଜେପୁର ଉପନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଏଥିରେ ସୁବ୍ରତ ସିଂହଙ୍କ ସମେତ ତିନିଜଣ ଆହତ ହୋଇଥିଲେ। ଯେଉଁଥିରେ ସୁବ୍ରତଙ୍କ ଡ୍ରାଇଭର ଦିଲ୍ଲେଶ୍ୱର ସାହୁଙ୍କ ମୃତ୍ୟୁ ହୋଇଥିଲା।