• translate
Odishatv Bureau

ନୂଆଦିଲ୍ଲୀ : ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା। ବିବାହ ପାଇଁ ରାଜି ନହେବାରୁ ସେନା ଅଧିକାରୀଙ୍କ ମଡେଲ୍ ପତ୍ନୀଙ୍କୁ ଅନ୍ୟ ଜଣେ ସେନା ଅଧିକାରୀ କରିଛନ୍ତି ହତ୍ୟା । ମିସ୍ ଇଣ୍ଡିଆ ଆର୍ଥର ଫାଇନାଲିଷ୍ଟ ତଥା ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କୁ ହତ୍ୟା କରିଛନ୍ତି ଅନ୍ୟ ଜଣେ ମେଜର ନିଖିଲ୍ ହାଣ୍ଡା।

ଅମିତ ଦ୍ୱିବେଦୀ ଏବଂ ନିଖିଲ ହାଣ୍ଡା ନାଗାଲ୍ୟାଣ୍ଡର ଦିମାପୁରରେ ଏକାଠି ଚାକିରୀ କରୁଥିଲେ। ପରେ ଦିଲ୍ଲୀକୁ ବଦଳି ହୋଇ ଆସିଥିଲେ ମେଜର ଅମିତ। କିନ୍ତୁ ଶୈଳଜାଙ୍କୁ ଭୁଲି ପାରିନଥିଲେ ନିଖିଲ। ଅନେକ ଥର ଶୈଳଜାଙ୍କ ସହ ଫୋନ୍‌ରେ କଥା ହୋଇ ନିଖିଲ ପଡ଼ିଯାଇଥିଲେ ପ୍ରେମରେ। ଏପରିକି ଶୈଳଜାଙ୍କୁ ବିବାହ ପାଇଁ ବି ପ୍ରସ୍ତାବ ଦେଇଥିଲେ। ଶେଷରେ ବିଫଳ ହେବାରୁ ଦିଲ୍ଲୀ ଆସି ଶୈଳଜାଙ୍କୁ ହତ୍ୟା କରିଥିଲେ ନିଖିଲ୍।

ତେବେ କେମିତି ଘଟିଥିଲା ହତ୍ୟାକାଣ୍ଡ ? ନିଖିଲ୍ କେମିତି ତିଆରି କରିଥିଲେ ହତ୍ୟାର ବ୍ଲୁ ପ୍ରିଣ୍ଟ ?

ଶନିବାର ସକାଳ ପ୍ରାୟ ୮ଟା। ଆର୍ମି ବେସ୍ ହସ୍ପିଟାଲ୍‌କୁ ଫିଜିଓଥେରାପି ପାଇଁ ଯାଇଥିବାବେଳେ ଦିଲ୍ଲୀରେ ଶୈଳଜାଙ୍କ ସହ ଦେଖାହେଲେ ନିଖିଲ। ଏହାପରେ ନିଜର ହୋଣ୍ଡାସିଟିରେ ଶୈଳଜାଙ୍କୁ ଧରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଭିମୁଖେ ବାହାରିଥିଲେ। ଶନିବାର ଅପରାହ୍ନ ପ୍ରାୟ ଗୋଟାଏ । କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଏକ ରାସ୍ତାକଡ଼ରେ କାର୍ ରଖି ଛୁରୀରେ ଶୈଳଜାଙ୍କ ବେକକୁ କାଟିଦେଇଥିଲେ ନିଖିଲ୍। ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ କାର୍ ଚଢ଼ାଇଦେଇଥିଲେ ସେ। କିନ୍ତୁ ଘଟଣାର କୌଣସି ସାକ୍ଷୀ କିମ୍ବା ପ୍ରମାଣ ନଥିବାରୁ ନିଖିଲଙ୍କୁ ତୁରନ୍ତ ଧରିପାରିନଥିଲା ପୋଲିସ । ଶେଷରେ ଶୈଳଜାଙ୍କ ସ୍ୱାମୀଙ୍କ ଠାରୁ ପୋଲିସ୍ ତଥ୍ୟ ସଂଗ୍ରହ କରିଥିଲା। ନିଖିଲଙ୍କ କଲ୍ ରେକର୍ଡ ଏବଂ ବିଭିନ୍ନ ସିସିଟିଭିକୁ ଯାଞ୍ଚ କରିବା ସହ ଏକାଧିକ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା। ପରେ ମିରଟ୍ କ୍ୟାଣ୍ଟନମେଣ୍ଟରୁ ଗତକାଲି ସକାଳେ ନିଖିଲକୁ ପୋଲିସ ଗିରଫ କରିଥିଲା ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ଅଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଜଣେ ସେନା ଅଧିକାରୀଙ୍କ ଦ୍ୱାରା ସଂଘଟିତ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପି ଚାଞ୍ଚଲ୍ୟ ଖେଳିଯାଇଛି।

 

 

Other Stories