• translate
Odishatv Bureau

ଭଦ୍ରକ : ଆଜିଠୁ ପର ହୋଇଗଲା ଅପରାଜିତା । ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ହୃଦୟ ଦୁଃଖରେ ଫାଟି ପଡୁଛି । ତା’ ଠାରୁ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାତ୍ସଲ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ। ତେବେ ଅପରାଜିତାର ଭଲ ପାଇଁ ସେମାନେ ମମତାକୁ ଉତ୍ସର୍ଗ କରିଛନ୍ତି । ଅପରାଜିତା ଭଲରେ ବଡ଼ ହୋଇ ଭଲ ମଣିଷଟିଏ ହେଉ ସେଇ ଅାଶାରେ ସମସ୍ତ ମୋହ ମାୟା ତୁଟାଇ ଅପରାଜିତାକୁ ଟେକି ଦେଇଛନ୍ତି ବିଦେଶୀ ଦମ୍ପତ୍ତିଙ୍କ ହାତରେ । ଆଜିଠୁ ମେରିଡିଥ୍ କାୟେ ସ୍ପୋଡ଼ା ହେଲେ ଅପରାଜିତାର ନୂଆ ବାପା ଓ ମାଥେ ସ୍ପୋଡ଼ା ହେଲେ ନୂଆ ମା’।

କିଏ ସେହି ଅପରାଜିତା ?

ଫେବ୍ରୁଆରୀ ୧୮, ୨୦୧୨ । ଭଦ୍ରକ ନୂଅା ବସଷ୍ଟାଣ୍ଡରେ ଏକ ପରିତ୍ୟକ୍ତ ଅବସ୍ଥାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲା ଏକ ଶିଶୁ କନ୍ୟା । ଶିଶୁ କନ୍ୟାଟି ବୁଲା କୁକୁରର ଅାହାର ବନିବା ଅାଗରୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପିତ କରାଯାଇଥିଲା। ଶିଶୁଟିକୁ ଚିକିତ୍ସା କରାଯାଇ ଲାଳନପାଳନ କରିବା ପରେ ଅାଜି ସେ  ପରିଣତ ହୋଇଛି ୬ ବର୍ଷରେ ଏବଂ ନାଁ ତାର ଅପରାଜିତା । ପରେ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପୋଷ୍ୟ ସନ୍ତାନ ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା ଏବଂ ଶେଷରେ କାରା ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିଲେ ଏହି ଅାମେରିକୀୟ ଦମ୍ପତି । ଅାଜି ଅପରାଜିତାକୁ ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ବେଶ ଖୁସି ବୋଲି କହିଛନ୍ତି ଏହି ଦମ୍ପତ୍ତି ମେରିଡିଥ୍ କାୟେ ସ୍ପୋଡ଼ା ଓ ମାଥେ ସ୍ପୋଡ଼ା ।

ଜୀବନ ସଂଘର୍ଷରେ ଏହି ଦିବ୍ୟାଙ୍ଗ ଶିଶୁ ହାରି ନଯାଇ ଅାଜି ବଂଚି ରହିଛି ଏବଂ ଏହା ପଛରେ ବଡ ଭୂମିକା ରହିଛି ବାତ୍ସଲ୍ୟ ଶିଶୁ ଅନୁଷ୍ଠାନର । ଅାଜି ଅପରାଜିତାକୁ ଅାମେରିକୀୟ ଦମ୍ପତିଙ୍କୁ ହସ୍ତାନ୍ତର ସମୟରେ ବେଶ ଭାବବିହ୍ୱଳ ହୋଇପଡିଥିଲେ ଅନୁଷ୍ଠାନର କର୍ମକର୍ତ୍ତା । ସେପଟେ ଶିଶୁଟିକୁ ସନ୍ତାନ ଭାବେ ଗ୍ରହଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

Other Stories