ଅନୁଗୁଳରୁ ନିଖୋଜ ମହିଳାଙ୍କ ମିଳିଲା ସନ୍ଧାନ
ଭୁବନେଶ୍ୱର: ସମ୍ବଲପୁର ମୋଦିପଡ଼ାରୁ ସ୍ୱାମୀଙ୍କ ସହ କାର୍ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ରାସ୍ତାରୁ ନିଖୋଜ ହୋଇଯାଇଥିବା ମହିଳାଙ୍କ ସନ୍ଧାନ ମିଳିଛି।
ତାଙ୍କୁ ଜଗତ୍ସିଂହପୁର ଟାଉନ ଥାନା କୋର୍ଟ ଛକ ଅଞ୍ଚଳରେ ଥିବା ତାଙ୍କର ଜଣେ ଭଉଣୀଙ୍କ ଘରେ ଠାବ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନେଇ ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତ ଗୁରୁବାର ରାତିରେ ସେ ସ୍ୱାମୀ ଓ ୬ ବର୍ଷର ଝିଅ ସହ ମୋଦିପଡ଼ାରୁ ଭୁବନେଶ୍ୱର ଆସୁଥିଲେ।
ଅନୁଗୁଳ ନାକଚି ନିକଟରେ ସେ ଶୌଚ ପାଇଁ ଓହ୍ଲାଇଥିଲେ। ଏହି ସମୟରେ ଜୋର୍ରେ ପବନ ହେବାରୁ କାର୍ର ଡୋର୍ ବନ୍ଦ ହୋଇଯାଇଥିଲା। ସେ କାର୍ରେ ବସିଲେଣି ଭାବି ତାଙ୍କ ସ୍ୱାମୀ ଗାଡି ଷ୍ଟାର୍ଟ କରି ଚାଲି ଯାଇଥିଲେ। ସେପଟେ ସେ ରାସ୍ତାରେ ଏକୁଟିଆ ଛିଡ଼ା ହୋଇଥିବାବେଳେ କିଛି ଲୋକ ତାଙ୍କୁ ସାହାଯ୍ୟ କରିଥିବା କହିଛନ୍ତି।
ନାକ୍ଚିର ଜଣେ ବ୍ୟକ୍ତି ତାଙ୍କୁ ୩ ଦିନ ଆଶ୍ରୟ ଦେଇଥିଲେ, ଆଜି ସେ ବସ୍ରେ ଜଗତସିଂପୁର ସ୍ଥିତ ତାଙ୍କ ଭଉଣୀ ଘରକୁ ଆସିଥିବା କହିଛନ୍ତି। ତେବେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି।