ଆଗକୁ ଜୋରଦାର ହେବ ଅପରେସନ : ପୋଲିସ ଡିଜି ଆର୍.ପି.ଶର୍ମା

ଭୁବନେଶ୍ୱର : ଲାଲଗଡ଼ରେ ଆହୁରି ଜୋରଦାର ହେବ ମାଓ ଦମନ ଅପରେସନ୍। ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା ଆଦି ରାଜ୍ୟ ସହ ସମନ୍ୱୟ ରଖି ମାଓ ଦମନ ଅପରେସନ୍‌କୁ ଜୋରଦାର କରାଯିବ। ଏଥିପାଇଁ ଗୁଇନ୍ଦା ନେଟ୍‌ୱର୍କକୁ ବ୍ୟାପକ କରାଯାଉଛି।

ରାଜ୍ୟରେ ମାଓ ଦମନ ଅପରେସନ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ପୋଲିସ ଡିଜି ଆର୍.ପି.ଶର୍ମା। ବିଶେଷ କରି କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ାରେ ମାଓ ଦମନ ଅପରେସନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଡିଜିପି।

ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ପୋଲିସକୁ ମିଳିଥିବା ସଫଳତା ନେଇ ମଧ୍ୟ ସୂଚନା ଦେଇଛନ୍ତି ଡିଜିପି। ବଲାଙ୍ଗିର ଏବଂ କନ୍ଧମାଳରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ୭ ମାଓବାଦୀଙ୍କ ମଧ୍ୟରୁ ୨ଜଣ ଥିଲେ ଡିଭିଜନାଲ୍ କମିଟି ମେମ୍ବର। ଜଣେ ବଲାଙ୍ଗିର-ବରଗଡ଼-ମହାସମୁହ ବିବିଏମ୍ ଡିଭିଜନ୍ ସଦସ୍ୟ ଏବଂ ଅନ୍ୟ ଜଣେ କେକେବିଏନ୍‌ର ସଦସ୍ୟ ବୋଲି କହିଛନ୍ତି ଡିଜିପି। ଏମାନଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ତାସହ ମୃତ୍ୟୁବରଣ କରିଥିବା ଅନ୍ୟ ଜଣେ ଏରିଆ କମିଟି ସଦସ୍ୟ ଉପରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି। ବର୍ତ୍ତମାନ ଅନ୍ୟ ମାନଙ୍କ ପରିଚୟ ଖୋଜା ଚାଲିଛି। ଏବେ ବି କନ୍ଧମାଳରେ କମ୍ବିଂ ଜାରି ରହିଥିବା ସୂଚନା ଦେଇଛନ୍ତି ଡିଜିପି। ଉଭୟ ବଲାଙ୍ଗିର ଏବଂ କନ୍ଧମାଳର ଏହି ଅପରେସନରେ କେବଳ ଏସ୍ଓଜି ଏବଂ ଡିଭିଏଫ୍ ସାମିଲ ହୋଇଥିବା ସୂଚନା ମିଳିଛି।

You might also like