ଆଡ୍‌ମିଟ୍‌ କାର୍ଡରେ ଅମିତାଭ ବଚ୍ଚନଙ୍କ ଫଟୋ!

ଲକ୍ଷ୍ନୌ: ଆଡ୍‌ମିଟ୍‌ କାର୍ଡରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଟୋ । ଜଣେ ବିଇଡି ଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡରେ ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଏହି ଆଡ୍‌ମିଟ୍‌ କାର୍ଡ ଜାରି କରିଛି।

ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ବିଇଡି ଦ୍ୱିତୀୟ ବର୍ଷର ଛାତ୍ର ଅମିତ୍‌ ଦ୍ୱିବେଦୀଙ୍କ ଆଡମିଟ୍‌ କାର୍ଡରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି।

ଅମିତ୍‌ ସମ୍ବାଦ ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି, ‘ଦ୍ୱିତୀୟ ବର୍ଷ ପରୀକ୍ଷା ଦେବାପାଇଁ ଫର୍ମରେ ନିଜ ଫଟୋ ସହ ପୂରଣ କରିଥିଲି। କିନ୍ତୁ ଆଡ୍‌ମିଟ୍‌ କାର୍ଡ ଗ୍ରହଣ କଲାପରେ ଦେଖିଲି ଯେ ଆଡ୍‌ମିଟ୍‌ କାର୍ଡରେ ମୋ ନିଜ ଫଟୋ ବଦଳରେ ଅମିତାଭ ବଚ୍ଚନଙ୍କ ଫଟୋ ଥିଲା। ତେବେ ପରୀକ୍ଷ ପାଇଁ ଅଲଗା ଡକ୍ୟୁମେଣ୍ଟ୍‌ ଦେଖାଇଲା ପରେ ସେମାନେ ଅନୁମତି ଦେଇଥିଲେ’। ତେବେ ମାର୍କ ସିଟ୍‌କୁ ନେଇ ଚିନ୍ତିତ ଥିବା କଥା ସେ କହିଛନ୍ତି।

ଛାତ୍ର ଜଣକ ନିଜେ କିମ୍ବା ଇଣ୍ଟରନେଟ୍‌ କେଫ୍‌ରେ ଫର୍ମ ପୂରଣ କରିବାବେଳେ ଏହି ତ୍ରୁଟି ହୋଇ ଥାଇପାରେ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷକୁ ଅବଗତ କରାଯାଇଛି। ସଠିକ୍‌ ମାର୍କ ସିଟ୍‌ ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଗତ କିଛିଦିନ ତଳେ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ଭୋଟର ଲିଷ୍ଟରେ ଭୋଟର୍‌ଙ୍କ ଫଟୋ ବଦଳରେ ହାତୀ, ପାରା, ହରିଣ ଓ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ ରହିଥିବା ଘଟଣା ସାମ୍‌ନାକୁ ଆସିଥିଲା।

You might also like