ଭୁବନେଶ୍ୱରରେ ନେତା ଓ କର୍ମୀଙ୍କୁ ଶକ୍ତି ଦେଲେ ଶାହା

ଭୁବନେଶ୍ୱର : ଅମିତଙ୍କୁ ନେଇ ବିଜେପି ଶିବିରରେ ଜବରଦସ୍ତ ଉତ୍ସାହ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ ଲାଗି ବିମାନବନ୍ଦରରେ ଭବ୍ୟ ଆୟୋଜନ। ପାରମ୍ପରିକ ବାଦ୍ୟରେ କମ୍ପୁଛି ବିଜୁପଟ୍ଟନାୟକ ବିମାନବନ୍ଦର। ଆଉ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ଦଳର ତୁଙ୍ଗ ନେତା । ଅମିତ୍ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଥିଲା ଉତ୍ସସିତ ସମ୍ବର୍ଦ୍ଧନା ।ଆଉ ତାପରେ ବିଶାଳ ମୋଟର ସାଇକେଲ୍ ରାଲିରେ ଅମିତ୍‌ଙ୍କୁ ଦଳୀୟ କାର୍ଯ୍ୟାଳୟ ଯାଏଁ ପାଛୋଟି ଆଣିଥିଲେ ନେତା ଓ କର୍ମୀ।

ପ୍ରଷ୍ଫୁଟିତ ପଦ୍ମ ଫୁଲରେ ସ୍ୱାଗତ ପରେ ଅମିତ ଆରମ୍ଭ କରିଥିଲେ ମାରାଥନ୍ ବୈଠକ। ନେତା ଓ କର୍ମକର୍ତ୍ତାଙ୍କୁ ଦେଇଥିଲେ ଗୁପ୍ତମନ୍ତ୍ରଣା। ପ୍ରଥମ ପର୍ଯ୍ୟାୟରେ ୨୧ଟି ସଂସଦୀୟ କ୍ଷେତ୍ରର ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ ଅମିତ। ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତାରକମାନଙ୍କ ସହ ହୋଇଥିଲା ବିଚାରବିମର୍ଶ। ଭବାନୀପାଟଣା ଓ ବଲାଙ୍ଗିର ଗସ୍ତ ସମୟରେ ବିସ୍ତାରକଙ୍କୁ ଦେଇଥିବା ଟାସ୍କର ଟିକିନିଖି ହିସାବ ବି ନେଇଥିଲେ ଅମିତ। ଦିଆଯାଇଥିବା କାର୍ଯ୍ୟକୁ କେତେଦୂର ଓ କେତେ ସଫଳତାର ସହ ସମ୍ପାଦନ କରିଛନ୍ତି, ସେ ସଂକ୍ରାନ୍ତରେ ବିସ୍ତାରକମାନେ ଅମିତଙ୍କୁ ଜଣ ଜଣ କରି ଅବଗତ କରିଥିଲେ।

ଅପରାହ୍ନରେ ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ଗୁରୁମନ୍ତ୍ର ଦେଇଥିଲେ ଅମିତ୍। ପୂର୍ବରୁ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲାଗି ଆହ୍ୱାନ ଦେଇଛନ୍ତି ବିଜେପି ମୁଖିଆ । ଆଗାମୀ ୧୫ ଦିନ ଭିତରେ ଶକ୍ତି କେନ୍ଦ୍ର ଓ ବୁଥ୍ କମିଟି ଅଧ୍ୟକ୍ଷମାନେ ଘର ଘର ଯାଇ ମୋଦି ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାର ବାର୍ତ୍ତା ଲିଫ୍‌ଲେଟ୍ ମାଧ୍ୟମରେ ପହଞ୍ଚାଇବାକୁ କହିଛନ୍ତି ଅମିତ। ଏଥିସହିତ ରାଜ୍ୟ ସରକାରଙ୍କୁ ଜୋରଦାର ଢଙ୍ଗରେ ନିଶାନା କରିଥିଲେ ଅମିତ୍ । କେନ୍ଦ୍ର ଓଡ଼ିଶା ପାଇଁ ୪ ଲକ୍ଷ କୋଟି ଟଙ୍କାର ଯୋଜନା କରିଥିବା ବେଳେ ୨ ଲକ୍ଷ ୧୧ହଜାର କୋଟିରୁ ଅଧିକ ଟଙ୍କା ଅନୁଦାନ ଯୋଗାଇ ଦେଇଛି।

ଏହାସତ୍ତ୍ୱେ ଯଦି ରାଜ୍ୟର ବିକାଶ କରିପାରୁନାହଁ ,ତେବେ ତୁରନ୍ତ ଗାଦି ଛାଡ଼ ବୋଲି ନବୀନ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ଅମିତ୍ । ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ନବୀନଙ୍କୁ ସିଧାସଳଖ ଟର୍ଗେଟ କରିଥିଲେ ଅମିତ୍।

ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଉତ୍ସାହିତ ହୋଇପଡିଥିଲା ରାଜ୍ୟ ବିଜେପି। ୨୦୧୯ରେ କ୍ଷମତା ଦଖଲ ଲାଗି ଦଳ ଆରମ୍ଭ କରିଥିଲା ଅଭିଯାନ ।ତେବେ ବିଜେପୁର ଉପ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ ଉତ୍ସାହରେ ଭଟ୍ଟା ପଡିଥିବା ଦେଖିବାକୁ ମିଳିଥିଲା ।ତେବେ ଦଳ ସଭାପତି ଅମିତ୍ ଶାହାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ପୁଣି ସଂଗଠିତ ହେବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି।

 

 

You might also like