ମୋଦି ସରକାରଙ୍କ ପ୍ରତି ବିଜେଡିର ଅାଭିମୁଖ୍ୟ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଏନଡିଏ ଆଡ଼କୁ ଢଳୁଛି କି ବିଜେଡି?  ଆସାମ୍ NRC ପ୍ରସଙ୍ଗ ବିତର୍କ ପରେ ଅମିତଙ୍କ ମନ୍ତବ୍ୟ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି। ଏହାପୂର୍ବରୁ ଲୋକସଭାରେ ଅନାସ୍ଥା ଆଲୋଚନା ଆଗରୁ ବିଜେଡି ବୟକଟ୍ ପରେ ବି ଦୁଇ ଦଳ ଭିତରେ ଫିକ୍ସିଂ ହୋଇଥିବା ଚର୍ଚ୍ଚା ହୋଇଥିଲା।

ସେହିଭଳି ପାର୍ଲାମେଣ୍ଟରେ ଅନେକ ବିଲ୍‌କୁ ବିଜେଡିର ସମର୍ଥନ, ବିମୁଦ୍ରାକରଣ ଓ ଜିଏସ୍‌ଟି, ରାଷ୍ଟ୍ରପତି ନିର୍ବାନରେ କୋବିନ୍ଦଙ୍କ ପ୍ରାର୍ଥୀତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଥିଲା ବିଜେଡି। ଏଥିରୁ ଚର୍ଚ୍ଚା ହେଉଛି ଯେ ଏନ୍‌ଡିଏ ପ୍ରତି ବିଜେଡିର କୋହଳ ମନୋଭାବ ରହିଛି। ଗତକାଲି ଏନ୍ଆର୍‌ସି ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିବୃତି ମଧ୍ୟ ବିଜେପିକୁ ସୁହାଇଲା ଭଳି ଥିଲା। ଯେଉଁଥିପାଇଁ ଅମିତ ଶାହ, ବିଜେଡିକୁ ଏକ ପ୍ରକାର ପ୍ରଶଂସା କଲେ। ରାଜନୈତିକ ସମୀକ୍ଷକ ବି କହିଛନ୍ତି ବିଜେଡି ହେଉଛି ପ୍ରୋ-ଏନ୍‌ଡିଏ। ସେପଟେ ସଂସଦରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିବୃତିକୁ ନେଇ ତାଙ୍କୁ ପ୍ରଶଂସାରେ ପୋତି ପକାଇଛି ରାଜ୍ୟ ବିଜେପି।

ପ୍ରଶ୍ନ ଉଠୁଛି ବିଜେଡିରେ ଏଭଳି ଆଭିମୁଖ୍ୟ କାହିଁକି? କେନ୍ଦ୍ର ସରକାରଙ୍କୁ ବିଜେଡି ଡରୁଛି କି? ସୁବିଧାବାଦୀ ରାଜନୀତିରେ ରହିବାପାଇଁ ବିଜେଡି ଏଭଳି ଆଭିମୁଖ୍ୟ ଆପଣାଥିବା ଚର୍ଚ୍ଚା ହେଉଥିବାବେଳେ କଂଗ୍ରେସ କହିଛି ବିଜେଡିକୁ ଘାରିଛି ସିବିଆଇ ଭୟ। ରାଜ୍ୟରେ ଲଢେଇ ହେଲେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଭାବବିନିମୟ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରୁଛି ତା ଉପରେ ନଜର।

You might also like