ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଯାଉଛି ଫର୍ଣ୍ଣିଚର

ଭୁବନେଶ୍ୱର: ଗୋଟିଏ ପଟେ ଆମ୍ବୁଲାନ୍ସ ସେବା ନ ପାଇ ଖଟିଆରେ ଆସନ୍ନ ପ୍ରସବା ବୁହା ହେଉଥିବାବେଳେ ଅନ୍ୟପଟେ ଆମ୍ବୁଲାନ୍ସରେ ଫର୍ଣ୍ଣିଚର ଲୋଡ଼୍‌ କରାଯାଉଥିବା ଦେଖିବାକୁ ମିଳିଛି।

ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନାର ଏକ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଫର୍ଣ୍ଣିଚର ଲୋଡ୍ କରାଯାଉଥିବା ଦେଖିବାକୁ ମିଳିଛି। ତାହା ବି  ପୁଣି ସଦର ମହକୁମାର ଜନଗହଳିପୂର୍ଣ୍ଣ ଡିଏନ୍‌କେ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଖୋଦ୍ ଜଣେ ଫାର୍ମାସିଷ୍ଟ ଏବଂ ଡ୍ରାଇଭର ଏହି ଫର୍ଣ୍ଣିଚରକୁ ଆମ୍ବୁଲାନ୍ସରେ ଲୋଡ୍ କରୁଥିବା ଜଣାପଡ଼ିଛି। ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଆମ୍ବୁଲାନ୍ସର ଏଭଳି ଅପବ୍ୟବହାରକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଉଲ୍ଲେଖଥାଉ କି, ଗମନାଗମନ ବ୍ୟବସ୍ଥା ନ ଥିବାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ବରହାକୁଦ ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଜଣେ ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୁହା ହୋଇଯିବାକୁ ପଡ଼ିଥିଲା। ଆଉ ଅଧାବାଟରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ ସେଥିରେ ମେଡ଼ିକାଲକୁ ନିଆଯାଇଥିଲା।

You might also like