ଆସନ୍ତାକାଲି ଠାରୁ ରାଜ୍ୟର ସବୁ ସ୍କୁଲ୍ ଛୁଟି
ଭୁବନେଶ୍ୱର : ଆସନ୍ତାକାଲିଠୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସ୍ପଷ୍ଟ କରିଛନ୍ତି। ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ୨୫ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।
କିଛି ଦିନ ଧରି ଲଗାତର ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ତେଣୁ ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ସକାଳୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟକୁ ଆସିବା ସମୟରେ ପାଣି ବୋତଲ ଓ ଛତା ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଗ୍ରୀଷ୍ମ ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ଶାରୀରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ନୁହେଁ। ଏହି ନିୟମକୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଳନ କରିବାକୁ ନିର୍ଦେଶନାମା ଜାରି ହୋଇଥିଲା।