ଆଜି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବନ୍ଦ ରହିଛି ଘରୋଇ ହସ୍ପିଟାଲ। ରାଜ୍ୟର ସବୁ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ବନ୍ଦ ରହିବ।

କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ରାଜ୍ୟର ପ୍ରାୟ ୨ ହଜାରରୁ ଅଧିକ କ୍ଲିନିକ, ଲ୍ୟାବ୍ ସାମିଲ ହୋଇଛନ୍ତି। ଘରୋଇ ମେଡିକାଲର ଆଉଟ ଡୋର ବନ୍ଦ ରହିଛି ଏବଂ ନୂଆ ରୋଗୀଙ୍କୁ ଆଡମିଶନ କରାଯାଉନି। କିନ୍ତୁ ପୂର୍ବରୁ ଆଡମିଶନ ହୋଇଥିବା ରୋଗୀଙ୍କ ଚିକିତ୍ସା ଜାରି ରହିବ।

ଘରୋଇ ଚିକିତ୍ସା ସଂସ୍ଥାଗୁଡ଼ିକର ବନ୍ଦ ଡାକରା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ରୋଗୀମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେ ଦିଗରେ ଦୃଷ୍ଟି ଦେବାକୁ ସବୁ ସରକାରୀ ମେଡିକାଲକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କଟକ ଏସ୍‌ସିବି ମେଡିକାଲ କଲେଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କାଜୁଆଲିଟି, ଟ୍ରମା କେୟାର ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ଅଧିକ ସଂଖ୍ୟକ ପାରା ମେଡିକାଲ ଷ୍ଟାଫ୍ ଓ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।

You might also like