ଛାତ୍ର ନେତାଙ୍କୁ ଅରୁଣ ସାହୁ ଉଠ୍‌ବସ୍ କରାଇବା ଅଭିଯୋଗ

ଭୁବନେଶ୍ୱର: ଛାତ୍ର ନେତାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅରୁଣ ସାହୁଙ୍କ ଉଠବସ୍ ଅଭିଯୋଗ I ବିଜେଡି ନେତା ଅରୁଣ ସାହୁଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର ନାୟକ। ତୁଷାର ଅଭିଯୋଗ କରିଛନ୍ତି, ବାରିପଦା ସର୍କିଟ୍ ହାଉସକୁ ଡାକି ଅରୁଣ ସାହୁ ତାଙ୍କୁ ଗାଳି ଗୁଲଜ କରିବା ସହ ସମସ୍ତଙ୍କ ଆଗରେ ୭୦ ଥର ବସ୍ ଉଠ୍ କରାଇଛନ୍ତି। ତୁଷାର ଏ ସମ୍ପର୍କରେ ନିଜ ଫେସ୍ ବୁକ୍‌ରେ ପୋଷ୍ଟ କରିବା ପରେ ଏହାକୁ ନେଇ ଛାତ୍ର ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ତୁଷାରଙ୍କ ଅଭିଯୋଗ ଅନୁସାରେ ବିଶ୍ୱ ବିଦ୍ୟାଳୟର ୧୧ଟି ବିଭାଗକୁ ରେଗୁଲାର କୋର୍ସ କରିବା ଦାବିରେ ସେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିଲେ। ସମସ୍ୟା ସମାଧାନ ପାଇଁ ସେ ଆଜି ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ଅରୁଣ ସାହୁଙ୍କୁ ବାରିପଦା ସର୍କିଟ ହାଉସ୍‌ରେ ଭେଟିଥିଲେ I ହେଲେ ଅରୁଣ ସାହୁ ସେଠାରେ ତାଙ୍କୁ ଗାଳିଗୁଲଜ କରିବା ସହ ରୁମ୍‌ରୁ ବାହାର କରି ଦେଇଥିଲେ ଓ ପରେ ପୁଣି ଥରେ ଡାକି ବହୁ ଲୋକଙ୍କ ଆଗରେ ଉଠ୍‌ବସ୍ କରାଇଥିଲେ।

ତେବେ ତୁଷାରଙ୍କ ଅଭିଯୋଗ ନେଇ ଯୋଗାଯୋଗ କରାଯିବାରୁ ଏକ ବୈଠକରେ ବ୍ୟସ୍ତ ଥିବା କହି ପ୍ରତିକ୍ରିୟା ଦେବାକୁ ଏଡ଼ାଇ ଯାଇଥିଲେ ଅରୁଣ ସାହୁ।

ଆହୁରି ପଢ଼ନ୍ତୁ

You might also like