ଝାରସୁଗୁଡ଼ାକୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା। ସକାଳ ୫ଟା ୫୦ରେ ଭୁବନେଶ୍ୱର ଛାଡ଼ି ୬ଟା ୪୦ ମିନିଟ୍‌ରେ ପହଞ୍ଚିବ ଝାରସୁଗୁଡ଼ା। ଏୟାର ଓଡ଼ିଶା ପକ୍ଷରୁ ଉଡେ ଦେଶକୀ ଆମ୍ ନାଗରିକ୍ ବା ଉଡ଼ାନ୍ ଯୋଜନାରେ ଆରମ୍ଭ ହେବ ଏହି ଯୋଜନା। ଭୁବନେଶ୍ୱରରୁ ଝାରସୁଗୁଡ଼ା ବ୍ୟତୀତ ଝାରସୁଗୁଡ଼ାରୁ ରାୟପୁର ଓ ଝାରସୁଗୁଡ଼ାରୁ ରାଞ୍ଚିକୁ ମଧ୍ୟ ବିମାନ ଉଡ଼ାଣ ଜୁନ୍ ୧୪ରୁ ଆରମ୍ଭ ହେବ।

ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡାଇରେକ୍ଟର ଜେନେରାଲ୍ ସିଭିଲ୍ ଆଭିଏସନ୍, ଡିଜିସିଏ ପକ୍ଷରୁ ଅନୁମତି ମିଳିସାରିଛି। ବିମାନ ଉଡ଼ାଣ ସିଡ୍ୟୁଲ ମଧ୍ୟ ବାହାରି ସାରିଛି। ଭୁବନେଶ୍ୱରରୁ ଝାରସୁଗୁଡ଼ା ୧୭୫୦ ଟଙ୍କା, ଝାରସୁଗୁଡ଼ାରୁ ଛତିଶଗଡ଼ର ରାୟପୁର ୧୬୭୦ଟଙ୍କା ଓ ଝାରସୁଗୁଡ଼ାରୁ ଝାଡ଼ଖଣ୍ଡର ରାଞ୍ଚିକୁ  ମଧ୍ୟ ୧୬୭୦ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି। ଏହି ଘୋଷଣା ପରେ ଝାରସୁଗୁଡ଼ା ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ।

ଏହା ଭିତରେ ଝାରସୁଗୁଡ଼ା ବିମାନବନ୍ଦରରେ ଟର୍ମିନାଲ୍, ରନ୍‌ୱେ, ଏଟିସି ପ୍ରଭୃତିର କାର୍ଯ୍ୟ ଶେଷ ହୋଇଛି। ଟିକେଟ କାଉଣ୍ଟର ଓ ପାସେଞ୍ଜର ସୁବିଧା ମଧ୍ୟ ପ୍ରସ୍ତୁତ। ଝାରସୁଗୁଡ଼ାର କାର୍ଯ୍ୟ ଶେଷ ହୋଇ ସିଡ୍ୟୁଲ ବାହାରିବା ପରେ ଏବେ ରାଉରକେଲାରୁ ସିଡ୍ୟୁଲ ବିମାନ ଉଡ଼ାଣ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ତେବେ ଜୟପୁର ଓ ଉତ୍କେଲା ବିମାନବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଏଭଳି ସ୍ଥଳେ ଭୁବନେଶ୍ୱରରୁ ପୁନେ ଓ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ କରିବା ପାଇଁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ମାର୍କେଟିଂ ଟିମ୍ ଉଦ୍ୟମ ଆରମ୍ଭ କରିଥିବା କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ।

କେବଳ ଏୟାର ଓଡ଼ିଶା ନୁହେଁ, ଉଡ଼ାନ୍ ଯୋଜନାରେ ସାମିଲ ଥିବା ଏୟାର ଡେକାନ୍ ମଧ୍ୟ କୋଲକାତାରୁ ରାଉରକେଲା ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ଚଳାଇଛି।

You might also like