କେଉଁଠି ଅଛନ୍ତି କାଶ୍ମୀରୀ ଛାତ୍ର ସୋହେଲ୍ : କୋଲକାତାରୁ ଖାଲି ହାତରେ ଫେରିଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର : ବିତିଗଲାଣି ୨୧ ଦିନ। ତଥାପି ପତ୍ତାମିଳୁନି କାଶ୍ମୀରୀ ଛାତ୍ର ସୋହେଲ୍ ଅଜାଜଙ୍କର। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଜମ୍ମୁ କାଶ୍ମୀର ପୋଲିସ ସହ  କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମାରାଥନ୍ ଛାନ୍‌ଭିନ୍‌ ପରେ ବି ଲାପତ୍ତା ସୋହେଲ୍। ଅର୍ଥାତ ଏବେ ବି ୩ଟି ରାଜ୍ୟ ପୋଲିସର ହାତ ଖାଲି। ଆଉ ଏପଟେ ପୁଅ ପାଇଁ  ବିକଳ ହୋଇ ଉଠୁଛି ମାଆର ମନ।

ସୋସିଆଲ୍ ସାଇଟ୍ ଜରିଆରେ ପୁଅକୁ ଫେରି ଆସିବା ପାଇଁ ଆକୁଳ ନିବେଦନ କରୁଛନ୍ତି ସୋହେଲଙ୍କର ମାଆ। ସାଙ୍ଗସାଥୀଙ୍କ ସହ ମିଶି ସୋହେଲଙ୍କର ସାନ ଭାଇ ମୁସାରଫ୍ ପରଭେଜ୍ ମଧ୍ୟ ସୋସିଆଲ୍ ସାଇଟ୍‌ରେ ପୋଷ୍ଟ କରିଛନ୍ତି ଫେରିଆସିବା ପାଇଁ।ଫେବ୍ରୁୟାରୀ ୯ ପରଠୁ ଭୁବନେଶ୍ୱର ଏମ୍ସରେ ପଢ଼ୁଥିବା ପୁଅ ସୋହେଲ ସହ କୌଣସି ଯୋଗାଯୋଗ କରିପାରିନଥିଲେ ପରିବାର ଲୋକେ। ଏହାପରେ ଫେବ୍ରୁୟାରୀ ୧୭ରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ। ଏମ୍ସ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ଖୋଳତାଡ଼ ଜାରି ରଖିଥିଲା କମିଶନରେଟ୍ ପୋଲିସ। କୋଲକାତାକୁ ଯାଇ ୭ରୁ ଅଧିକ ଥାନାରେ ଟିମ୍ ଅନୁସନ୍ଧାନ ମଧ୍ୟ କରିଥିଲା। କାରଣ ନିଖୋଜ ସୋହେଲଙ୍କ ମୋବାଇଲ୍ ହାୱଡ଼ା ଷ୍ଟେସନରେ ସୁଇଚ୍ ଅଫ୍ ହୋଇଥିବାରୁ ଛାନ୍‌ଭିନ୍ ସହ ଅଧିକ ସୁରାଗ୍ ଆଶାରେ ଯାଇଥିଲା କମିଶନରେଟ୍ ପୋଲିସ। କିନ୍ତୁ କୌଣସି ସୂଚନା ନପାଇ ଶେଷରେ ନିରାଶ ହୋଇ ଫେରିଆସିଛି।

ତେବେ କୁଆଡେ ଗଲେ କାଶ୍ମୀରୀ ଛାତ୍ର ସୋହେଲ୍ ଅଜାଜ୍ ? ବର୍ତ୍ତମାନ ସେ କେଉଁଠି ଏବଂ କିଭଳି ଅବସ୍ଥାରେ ଅଛନ୍ତି ? ଜମ୍ମୁ କାଶ୍ମୀରର ଆତଙ୍କବାଦୀ ପ୍ରବଣ କୁପୱାଡ଼ା ଜିଲ୍ଲାରେ ସୋହେଲଙ୍କର ଘର ହୋଇଥିବାରୁ ଆତଙ୍କବାଦୀ ଲିଙ୍କ୍ ନେଇ ମଧ୍ୟ ଆଶଙ୍କା କରାଯାଉଛି। ଆଉ ଏବେ ଅପେକ୍ଷା ପ୍ରଥମେ ବାପା, ଆଉ ଏବେ ମାଆ ଓ ଭାଇଙ୍କର ନିବେଦନ ପରେ ନିଖୋଜ ସୋହେଲ୍ ଉପରେ କି ପ୍ରଭାବ ପକାଉଛି।

You might also like