କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର: ପୁଣି ତେଜିଲା କଂଗ୍ରେସ କଳି। ନିରଞ୍ଜନ ଦାୟିତ୍ୱ ନେବାରେ ଦିନ କେଇଟା ଠିକ୍‌ଠାକ୍‌ ଚାଲିଲା ପରେ କଂଗ୍ରେସରେ ପୁଣି ପୁରୁଣା ଗୋଷ୍ଠୀକନ୍ଦଳ ରୋଗ ବାହାରିଛି। କୋରାପୁଟ ଜିଲ୍ଲା କଂଗ୍ରେସ କଳି ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଜଣେ ଦଳୀୟ ବିଧାୟକ ଖୋଲାଖୋଲି ଶାସକ ବିଜେଡିକୁ ପ୍ରଶଂସା କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେଣୁ କଂଗ୍ରେସରେ ଯେ ସବୁ ଠିକ୍ ଚାଲି ନାହିଁ ଏଥିରୁ ସ୍ପଷ୍ଟ ବାରି ହେଉଛି।

ଦଳର ଏସ୍‌ସି ସେଲ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଶୁକ୍ରବାର ନିଜ ବାସଭବନ ଗ୍ୟାରେଜରେ ବୈଠକ କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବୈଠକ ଲାଗି କଂଗ୍ରେସ ଭବନରେ ଜାଗା ଦିଆ ନ ଯିବାରୁ ସେ ନିଜ ଘର ଗ୍ୟାରେଜରେ ବୈଠକ କରିଥିବା କହିଛନ୍ତି ଶଗରିଆ। ଦଳ ମୁଖିଆ ନିରଞ୍ଜନ ପଟ୍ଟନାୟକ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିବା ସହ ବୈଠକ ଲାଗି କେହି ଜାଗା ମାଗି ନ ଥିବା କହିଛନ୍ତି।

ଶଗରିଆ ଘରେ ବସିଥିବା ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଟାର୍ଗେଟ କରାଯାଇଥିଲା। କଂଗ୍ରେସ ଏବେ ଦଳିତ ବିରୋଧୀ କାର୍ଯ୍ୟ କରୁଥିବା କହି ତାରାଙ୍କ ମୁଣ୍ଡରେ ଦୋଷ ଲଦିବାକୁ ଉଦ୍ୟମ କରାଯାଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧିଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦଳ ଯଦି ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରେ ତେବେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଶଗରିଆ କହିଛନ୍ତି। ଏପଟେ ତାରା ଶଗରିଆଙ୍କ ଅଭିଯୋଗର ଜବାବ ରଖି ନିଜକୁ କଂଗ୍ରେସର ସଚ୍ଚା ଫୌଜି ବୋଲି କହିଛନ୍ତି।

ତାରା-ଶଗରିଆଙ୍କ କଳି ଭିତରେ ସମସ୍ତଙ୍କୁ ଚମକାଇବା ଭଳି ମନ୍ତବ୍ୟ ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ପ୍ରକାଶ ଖୋଲାଖୋଲି ଶାସକ ବିଜେଡିକୁ ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନରେ ବିଜେଡି ଜିତିବ ବୋଲି କହିଛନ୍ତି।  ଏଥିରୁ ତାଙ୍କ ମତିଗତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପିସିସି ମୁଖିଆ କଥାକୁ ଅତି ହାଲ୍‌କା ଭାବେ ନେବା ସହ ପ୍ରକାଶ ଜଣେ ରାଜନେତା ଓ ବର୍ତ୍ତମାନର ସ୍ଥିତିକୁ ଦେଖି ମନ୍ତବ୍ୟ ଦେଇଥିବେ ବୋଲି ସଫେଇ ଦେଇଛନ୍ତି।

You might also like