କାମ ଦେଲାନି କର୍ତ୍ତୃପକ୍ଷଙ୍କ ସତର୍କତା : ପୁଣି ହ୍ୱାଟ୍ସଆପ୍ରେ ବୁଲିଲା ମାଟ୍ରିକ୍ ପ୍ରଶ୍ନପତ୍ର
ଭୁବନେଶ୍ୱର : ପୁଣି ମୋବାଇଲରୁ ମୋବାଇଲ ବୁଲିଲା ମାଟ୍ରିକ୍ ପ୍ରଶ୍ନପତ୍ର। ଆଜି ଇଂରାଜୀ ବିଷୟର ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ହ୍ୱାଟ୍ସଆପ୍ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। ସାହିତ୍ୟ ବିଷୟ ଭଳି ଭାଇରାଲ ହୋଇଥିବା ଇଂରାଜୀ ବିଷୟର ପ୍ରଶ୍ନପତ୍ର ବୋର୍ଡ ପ୍ରଶ୍ନପତ୍ର ସହ ମେଳ ଖାଉଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନ ବାହାରକୁ ଆସିଛି ବା ପରାକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ୍ ଯାଇଛି। ପ୍ରଶ୍ନର ଉତ୍ତର ମଧ୍ୟ ପ୍ରସ୍ତୁତ କରାଯାଇ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି।
ତିନିଟି ଯାକ ସେଟ୍ର ଉଭୟ ସବଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆକୁ ଆସିଥିବା କୁହାଯାଉଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସେପଟେ ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର OMR ସିଟ୍ର ପରୀକ୍ଷା ସରିବା ପରେ ହିଁ ପ୍ରଶ୍ନପତ୍ର ପଦାକୁ ଆସିଥିଲା। ମନ୍ଦ ଉଦ୍ଦେଶ୍ୟ ରଖି ଗୁଜବ ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ଓ ସତ୍ୟାସତ ପଦାକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ କଟକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଯାଇ ପ୍ରାୟ ୪ଘଣ୍ଟା ଧରି ଛାନ୍ଭିନ୍ କରିଛି। ସେହିପରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ନେଇଥିବା ସୂଚନା ମିଳିଛି।ମନ୍ତ୍ରୀଙ୍କ ଯୁକ୍ତି ,OMR ସିଟ୍ ପରୀକ୍ଷା ସରିବା ପରେ ହିଁ ପ୍ରଶ୍ନପତ୍ର ପଦାକୁ ଆସିଛି। ତେବେ କେବଳ OMR ସିଟ୍ ଆସିନାହିଁ ସବଜେକ୍ଟିଭ୍ ପ୍ରଶ୍ନପତ୍ର ମଧ୍ୟ ପରୀକ୍ଷା ସରିବା ପୂର୍ବରୁ ପଦାକୁ ଆସିଛି। ଆଗକୁ ଗଣିତ ଓ ବିଜ୍ଞାନ ବିଷୟ ରହିଛି। ଏହି ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଯଦି ପଦାକୁ ଆସେ ତେବେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେବ ନାହିଁ କି ?