ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗ: ଦାମ ଫିଙ୍ଗିଲେ ବବି ବମ୍‌

ଭୁବନେଶ୍ୱର : ବିଜେଡିରେ ଚାଲିଛି ପ୍ରବଳ ବିଶୃଙ୍ଖଳା। ଦଳରେ ବଢୁଛି ଅସନ୍ତୋଷ। ଏସବୁ ପଛରେ ଯେ କେବଳ ପି ନୁହଁନ୍ତି,ବରଂ ମୁଖ୍ୟ କାର୍ପଟଦାର ହେଉଛନ୍ତି ବବି। ଆଉ କେହି ନୁହେଁ ଖୋଦ୍ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ମନ୍ତବ୍ୟରୁ ଏହି କଥା ସ୍ପଷ୍ଟ ହେଉଛି। ବୈଜୟନ୍ତଙ୍କ ସମର୍ଥକ ସଲିମ୍ ଖାଁ ଓ ଦେବୁ ମଲ୍ଲିକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍‌ରେ ମଧ୍ୟ ବବିଙ୍କ ଭୂମିକାର ଖୁଲାସା ହୋଇଥିଲା। ଏବେ ଦଳର ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ବବି ଏବେ ଦଳର ମୂଖ୍ୟ ଭୂମିକାରେ ରହିଛନ୍ତି। ତେବେ ସେ କ୍ଷମତା କେନ୍ଦ୍ର ନୁହଁନ୍ତି, ଚଙ୍ଗ ଚଙ୍ଗ ହେଉଛନ୍ତି।

ରାଜନୀତି ଅଳ୍ପ, ବ୍ୟବସାୟ ବେଶି ବୁଝୁଛନ୍ତି କହି କଡା ସମାଲୋଚନା କରିଛନ୍ତି ଦାମ। ଏ ନେଇ ବବିଙ୍କ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଦଳ ଉପସଭାପତି ସୂର୍ଯ୍ୟ ପାତ୍ର ଦାମଙ୍କ କୋର୍ଟକୁ ବଲ୍ ଫିଙ୍ଗି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।

ସେପଟେ ବୈଜୟନ୍ତଙ୍କ ସପକ୍ଷରେ ବାହିରିଛନ୍ତି ଦାମୋଦର ରାଉତ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାର ପ୍ରସାଦ ବାହିନିପତି। ଦାମ କହିଛନ୍ତି ବୈଜୟନ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରମାଣ ଥିବା କଥା। ବୈଜୟନ୍ତ ଦଳ କି ସଭାପତି ବିରୋଧରେ କିଛି କହି ନାହାଁନ୍ତି । ସେ କୌଣସି ଅଧିକାରୀଙ୍କ ବିରୋଧରେ ବିଷୋଦଗାର କଲେ ସେଥିରେ ଦଳର କଣ ସଂପର୍କ। ସେପଟେ ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବୈଜୟନ୍ତ ଇସ୍ତାଫା ଦେଇ ମରଦପଣିଆ କାମ କରିଛନ୍ତି। ତାଙ୍କ ଇସ୍ତଫା ଦଳ ପାଇଁ ବୁମେରାଂ ହେବ।

ପାଣ୍ଡିୟାନ୍ ଓ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ କାର୍ଯ୍ୟାକଳାପ ଦଳରେ ଅସନ୍ତୋଷ ବଢ଼ାଉଛି। ତେବେ କିଛି ନେତା ମୁହଁ ଖୋଲୁଥିବାବେଳେ ଆଉ କିଛି ନିଜ ସ୍ୱାର୍ଥ ଜଗି ନିରବ ରହୁଛନ୍ତି। ଏବେ ଅପେକ୍ଷା ଏହା ବିଜେଡି ରାଜନୀତିକୁ ଆଗାମୀ ଦିନରେ କିଭଳି ପ୍ରଭାବିତ କରୁଛି।

You might also like