ଅାସନ୍ତାକାଲି ଲୋକସଭାରେ ଅନାସ୍ଥା ଅାଲୋଚନା

ନୂଆଦିଲ୍ଲୀ: ୧୫ ବର୍ଷ ପରେ ପାର୍ଲାମେଣ୍ଟକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପୃଷ୍ଠଭୂମି ସେତେ ମଜଭୁତ୍ ନଥିଲେ ବି ଏହାକୁ ଆଲୋଚନା ଲାଗି ଗ୍ରହଣ କରିଛନ୍ତି ବାଚସ୍ପତି। ପୂର୍ବରୁ ବଜେଟ୍ ଅଧିବେଶନ ସଂପୂର୍ଣ୍ଣ ଧୋଇଯାଇଥିଲା। ତେଣୁ ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହେବା ସରକାର ଚାହୁଁନଥିବା ଚର୍ଚ୍ଚା ହେଉଛି। ସଂଖ୍ୟା ଗଣିତ ଦୃଷ୍ଟିରୁ ଏନଡିଏ ସରକାରକୁ କୌଣସି ଭୟ ମଧ୍ୟ ନାହିଁ। ଏପଟେ ଭୋଟିଂ ଅପେକ୍ଷା ଆଲୋଚନା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି ବିରୋଧୀ। ଏନଡିଏର ପୂର୍ବତନ ସହଯୋଗୀ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଶିବସେନା ଓ ଜେଡିୟୁ ଭଳି ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିଆସୁଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ମେଣ୍ଟ କେତେ ଶକ୍ତ ଅଛି ତାହା ପରଖିବା ଲାଗି ବିରୋଧୀ ଅନାସ୍ଥା କାର୍ଡ ଖେଳିଥିବା କୁହାଯାଉଛି।

ଏପଟେ ଅନାସ୍ଥା ପ୍ରସ୍ତାବ ଆଣି ବିରୋଧୀ ନିଜ ଚାଲ୍‌ରେ କେତେ ସଫଳ ହେବେ ତାକୁ ନେଇ ଚର୍ଚ୍ଚା। କାରଣ ଉଦ୍ଧବ ଥାକ୍‌ରେଙ୍କ ସହ କଥା ହୋଇ ବିଜେପି ମୁଖିଆ ଅମିତ୍ ଶାହ ତାଙ୍କୁ ମନାଇବାରେ ସଫଳ ହୋଇଥିବା କୁହାଯାଉଛି। AIADMK ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ସ୍ପଷ୍ଟ କରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି- TRS ମଧ୍ୟ ଭୋଟିଂରୁ ବିରତ ରହିବ ବୋଲି ସୂଚନା ମିଳିଛି। ଏପଟେ ବିଜେଡି ଆସନ୍ତାକାଲିର ଅନାସ୍ଥା ଆଲୋଚନାରେ ଭାଗ ନେବ, ତେବେ ପ୍ରସ୍ତାବ ସପକ୍ଷରେ କି ବିପକ୍ଷରେ ଭୋଟ୍ ଦେବ କିମ୍ବା ବିରତ ରହିବ ସେ ନେଇ ଦଳ ଗୃହ ଭିତରେ ହିଁ ନିଷ୍ପତ୍ତି ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ମାନ୍ୟତା ଦାବିରେ ଟିଡିପି ଏବଂ ଲିଞ୍ଚିଂ ଓ ଦଳିତଙ୍କ ଉପରେ ଆକ୍ରମଣ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଏନସିପି ପକ୍ଷରୁ  ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଆସନ୍ତାକାଲି ଦିନ ୧୧ଟାରେ ଲୋକସଭାରେ ଏହା ଉପରେ ଆଲୋଚନା ହେବ। ଏହି ଆଲୋଚନାରେ ଭାଗନେବା ଲାଗି ଦଳୱାରୀ ସମୟ ବାଣ୍ଟିଛନ୍ତି ବାଚସ୍ପତି। ଏଥିପାଇଁ ବିଜେପିକୁ ସର୍ବାଧିକ ୩ ଘଣ୍ଟା ୩୩ ମିନିଟ, କଂଗ୍ରେସକୁ ୩୮ ଓ ବିଜେଡିକୁ ୧୫ ମିନିଟ ମିଳିବ।

You might also like