ସେପ୍ଟେମ୍ବର ୪ରେ ଅାସିବ ରାଜ୍ୟ ଅତିରିକ୍ତ ବଜେଟ
ଭୁବନେଶ୍ୱର: କଣ ହେବ ଅତରିକ୍ତ ବଜେଟ୍ର ରୂପରେଖ? ମୌସୁମୀ ଅଧିବେଶର ପ୍ରଥମ ଦିନ, ଅର୍ଥାତ ସେମ୍ବର ୪ରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟ୍ରେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ୱ? ଘୋଷଣା ହୋଇଥିବା ନୂଆ ସ୍କିମ୍ ବାଦ୍ କେଉଁ ବିଭାଗକୁ ମିଳିବ କେତେ ଅର୍ଥ? ଏସବୁକୁ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫ଶହ କୋଟି, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ପାଇଁ ୨୨୦ କୋଟି, ଆଶାକର୍ମୀଙ୍କ ପାଇଁ ୫୦ କୋଟି ଖର୍ଚ୍ଚ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।
କିନ୍ତୁ ମୂଳ ବଜେଟ୍ରେ ଏସବୁ ପାଇଁ ଅର୍ଥ ବ୍ୟୟବରାଦ ହୋଇନଥିଲା। ତେଣୁ ଅତିରିକ୍ତ ବଜେଟ୍ରେ ଏହାର ବୋଝ ପଡ଼ିବ। ତାହା ସହ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଣିବାକୁ ଥିବା ନୂଆ ସ୍କିମ୍ ପାଇଁ ଏହି ବଜେଟ୍ରେ ବ୍ୟୟବରାଦ ହୋଇପାରେ। ସାମାଜିକ କ୍ଷେତ୍ର, ଶିଳ୍ପ, ଭିତ୍ତିଭୂମି, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ଜୁଲାଇ ମାସ ସୁଦ୍ଧା, ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟ୍ରେ ଉକ୍ତ ଯୋଜନା ଓ ପ୍ରକଳ୍ପ ବାବଦ ଅର୍ଥ ବିନିଯୋଗ ୧୦ ପ୍ରତିଶତ ଅଧିକ ହୋଇଛି।
ଚଳିତ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ଗତବର୍ଷ ଅପେକ୍ଷା ୩୩ ପ୍ରତିଶତ ବଢିଛି। ଖଣି ଓ ଇସ୍ପାତ କ୍ଷେତ୍ରରେ ୭୨ ପ୍ରତିଶତ ଓ ଯାନବାହନ ଟିକସ ଆଦାୟ ଗତ ବର୍ଷ ଅପେକ୍ଷା ୪୨ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିକୁ ୪ଶହ କୋଟିରୁ ୧୪ଶହ କୋଟିକୁ ବୃଦ୍ଧି କରିଛନ୍ତି। ଅର୍ଥନେତିକ ବିଶେଷଜ୍ଞଙ୍କ ମତରେ ଗତ ଅତିରିକ୍ତ ବଜେଟ୍ରେ ପାଖାପାଖି ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥର ଏହା ୧୨ରୁ ୧୫ ହଜାର କୋଟି ହୋଇପାରେ। ସେପଟେ ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ଭାର ୯୩ ହଜାର କୋଟି ଟଙ୍କା ଛୁଇଁବ।
ଗୋଟିଏ ପଟେ ନିର୍ବାଚନ ବର୍ଷ ଦୃଷ୍ଟିରୁ ନୂଆ ନୂଆ ଯୋଜନା ଘୋଷଣା ହେଉଛି, ଅନ୍ୟ ପଟେ ବଢୁଛି ଋଣ ଭାର ଏଭଳି ସ୍ଥିତିରେ ଆଗକୁ ଆର୍ଥିକ ପରିଚାଳନା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ବଢ଼ାଇପାରେ।