ଲିଙ୍ଗରାଜ ମନ୍ଦିରରେ ମସ୍ତ ମସ୍ତ ଗର୍ଲ ରବିନା ଟଣ୍ଡନଙ୍କ ବିୟୁଟି ଟିପ୍ସ: ବିଜ୍ଞାପନ ସୁଟିଂ ବେଳର ଭିଜୁଆଲ୍ ଭାଇରାଲ୍

ଭୁବନେଶ୍ୱର : ରବିନାଙ୍କ ରୂପଚର୍ଯ୍ୟା ଟିପ୍ସ। ତା ପୁଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ। ଯେଉଁଠିକୁ କ୍ୟାମେରା ଓ ମୋବାଇଲ୍ ବ୍ୟାନ, ଠିକ୍ ସେହି ସ୍ଥାନରେ ଚାଲିଛି ଖୁଲମ୍‌ଖୁଲା ସୁଟିଂ। ଭକ୍ତ, ପୋଲିସ୍ ଓ ସେବାୟତ, ସମସ୍ତେ ଦେଖୁଛନ୍ତି, ହେଲେ କାହାରି ଯେମିତି ରୋକିବାକୁ ଯୁ ନାହିଁ। ପାର୍ବତୀ ମନ୍ଦିର ମୁଖାଶାଳା ଆଗରେ ପାଖାପାଖି ୩ ମିନିଟ୍ ଯାଏଁ ଏଭଳି ରୂପଚର୍ଯ୍ୟା ଟିପ୍ସ ଦେଉଥିଲେ ରବୀନା। ଯାହାକୁ ଜଣେ ସହଯୋଗୀ ମୋବାଇଲ୍‌ରେ କଏଦ କରୁଥିଲେ। ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ମନ୍ଦିର ଭିତରକୁ ମୋବାଇଲ୍ ପ୍ରବେଶ ନିଷିଦ୍ଧ ଥିବାବେଳେ, ରବିନା ନିଜ ଟିମ୍ ସହ କିପରି ମୋବାଇଲ୍ ନେଇ ଗଲେ ଏବଂ ବିଜ୍ଞାପନ ସୁଟିଂ କଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଯାହାକି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଆଇନ୍‌ର ଉଲ୍ଲଂଘନ ବୋଲି କହିଛନ୍ତି ସେବାୟତ। ସେପଟେ ଏହାର ତଦନ୍ତ ହେବ ବୋଲି ମନ୍ଦିର ପରିଚାଳନା ଅଧିକାରୀ କହିଛନ୍ତି।

ଲିଙ୍ଗରାଜଙ୍କ ମନ୍ଦିରକୁ ମୋବାଇଲ୍ ନେବାକୁ କେବଳ ସେବାୟତଙ୍କୁ ଅନୁମତି ରହିଛି। ଏବେ ପ୍ରଶ୍ନ ଉଠୁଛି ସାଧାରଣ ଶ୍ରଦ୍ଧାଳୁଙ୍କ ଲାଗି ସିଂହଦ୍ୱାରରେ କଡାକଡି ଚେକିଂ କରାଯାଉଥିବାବେଳେ ରବିନା କାହିଁକି ଏଥିରୁ ବାଦ ପଡିଲେ ? କମିଶନରେଟ୍ ପୋଲିସ୍ ଓ ଲିଙ୍ଗରାଜ ଟେମ୍ପଲ୍ ପୋଲିସ୍‌ଙ୍କ ଉପସ୍ଥିତିରେ କିପରି ମୋବାଇଲ୍ ନେଇ ଭିତରକୁ ଗଲେ ଓ ବିନା ବାଧାରେ ସୁଟିଂ କଲେ। ସେଲିବ୍ରିଟି ହେବାର ଫାଇଦା ଉଠାଇଲେ କି ବଲିଉଡ କୁଇନ୍? ଅନ୍ୟପଟେ ଘଟଣା ସମ୍ପର୍କରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ମନ୍ଦିର ପ୍ରଶାସନକୁ ଏ ବାବଦରେ କୈଫତ ତଲବ କରାଯାଇଛି।

ଲିଙ୍ଗରାଜ ଭଳି ଏକ ଐତିହ୍ୟ ସମ୍ପନ୍ନ ମନ୍ଦିର ଭିତରେ କଡ଼ା କଟକଣା ସତ୍ତ୍ୱେ ମସ୍ତ ମସ୍ତ ଗର୍ଲଙ୍କ ଖୁଲମଖୁଲା ବିଜ୍ଞାପନ ସୁଟିଂ, ଶ୍ରଦ୍ଧାଳୁଙ୍କ ମନରେ ଆଘାତ ପହଁଚାଇଛି। ଆଗକୁ ଏ ନେଇ କି କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ନଜର।

 

You might also like