ଏନ୍ଡିଏ ପ୍ରାର୍ଥୀଙ୍କୁ କାହିଁକି ସମର୍ଥନ କଲା ବିଜେଡି? ଏହି ସବୁ କାରଣ ଦର୍ଶାଇଲା ଦଳ
ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନ୍ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣଙ୍କୁ ବିଜେଡି ସମର୍ଥନ କରିବ। ଗତକାଲି ମୁମ୍ବାଇରୁ ଫେରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଛନ୍ତି। ରାଜ୍ୟସଭା ଉପାଧ୍ୟାକ୍ଷ ନିର୍ବାଚନରେ ବିଜେଡି କାହିଁକି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲା, ତାକୁ ନେଇ ଦଳ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ସେ ନେଇ ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି।
ଏଥିରେ କୁହାଯାଇଛି, ସଂସଦୀୟ ଗଣତନ୍ତ୍ରରେ ସାମ୍ବିଧାନିକ ପଦବୀଗୁଡ଼ିକରେ ବସୁଥିବା ବ୍ୟକ୍ତିଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯିବା ଉଚିତ୍। ସେହି କ୍ରମରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀରେ କିଏ ବସିବେ ସେନେଇ ମଧ୍ୟ ସର୍ବସମ୍ମତରେ ନିଷ୍ପତ୍ତି ହେବା ଉଚିତ୍। ତେଣୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସେମିତି କିଛି ହେବ ବୋଲି ଦଳ ଆଶା କରୁଥିଲା ଓ ଅପେକ୍ଷା କରିଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ନିର୍ବାଚନ ଲାଗି ଜଣେ ଜେଡିୟୁରୁ ଓ ଆଉ ଜଣେ କଂଗ୍ରେସରୁ ପ୍ରାର୍ଥୀ ହେଲେ। ବିଜେଡି ଓ ଜେଡିୟୁ ସମଆଦର୍ଶ ସଂପନ୍ନ ଦଳ ହୋଇଥିବାରୁ ହରିବଂଶ ନାରାୟଣଙ୍କୁ ଆମେ ସମର୍ଥନ କଲୁ। ଉଭୟ ବିଜେଡି ଓ ଜେଡିୟୁ ଜୟ ପ୍ରକାଶ ନାରାୟଣଙ୍କର ବିପ୍ଳବରୁ ଉତ୍ପନ୍ନ ହୋଇଛନ୍ତି।
ବିଜେଡି ପକ୍ଷରୁ ଆହୁରି କୁହାଯାଇଛି, କଂଗ୍ରେସ ପକ୍ଷରୁ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଥିଲେ। ସେ ବିଜେଡିକୁ ବିରୋଧ କରୁଥିଲେ ଓ ବିଭିନ୍ନ ସମୟରେ ସମାଲୋଚନା କରୁଥିଲେ। ତେବେ ଏହା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେଡିକୁ CBI ଭୟ ଘାରିଛି। ତେଣୁ NDA ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡି। ଗତ ୪ ବର୍ଷ ହେଲା ବିଜେପି ସହିତ ବିଜେଡି ସାମିଲ ହୋଇଛି। ବିଜେଡିର ସମଦୂରତା ଉକ୍ତି କେତେ ସତ ଏଥିରୁ ପ୍ରମାଣିତ ହୋଇଛି। ନିଜର ସୁରକ୍ଷା ପାଇଁ ବିଜେଡି ଏସବୁ କରିଥିବା ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତେବେ ନିରଞ୍ଜନଙ୍କ ଏହି ମନ୍ତବ୍ୟ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।