କମେଣ୍ଟ ମାରୁଥିବା ଯୁବକଙ୍କ ଉପରେ ଭାରି ପଡିଲେ ଯୁବତୀ

ରାଉରକେଲା  : ରୋଡ ରୋମିଓକୁ ପାନେ। କମେଣ୍ଟ ମାରୁଥିବା ୨ଜଣ ଯୁବକଙ୍କ ଉପରେ ଭାରି ପଡିଲେ ଜଣେ ମହିଳା। ରାଉରକେଲା ୧୯ ନମ୍ବର ସେକ୍ଟରରେ ନଜର ଆସିଛି ଏଭଳି ଘଟଣା।

ସୂଚନା ଅନୁଯାୟୀ ସୁଜାତା ସାହୁ ନାମକ ଜଣେ ମହିଳା ତାଙ୍କ ଜଣେ ବାନ୍ଧବୀଙ୍କ ସହ ଠିଆ ହୋଇଥିବାବେଳେ ଦୁଇ ଯୁବକ ବାଇକରେ ଆସି ସେମାନଙ୍କୁ କମେଣ୍ଟ ମାରିଥିଲେ। ଏପରିକି ସୁଜାତା ତାଙ୍କୁ ପ୍ରତିରୋଧ କଲାବେଳେ ତାଙ୍କୁ ଠେଲିଦେଇଥିବା ସେ ଅଭିଯୋଗ କରିଥିଲେ।  ଏହାପରେ ସୁଜାତା ନିଜେ ସେହି ଦୁଇ ଜଣ ଯୁବକଙ୍କ ଉପରକୁ ଝାମ୍ପି ପଡି ନିର୍ଧୁମ ପିଟିଥିଲେ। ସୁଜାତା ମାର୍ଶାଲ ଆର୍ଟ ପ୍ରଶିକ୍ଷାର୍ଥୀ ହୋଇଥିବାରୁ ଯୁବକ ଦୁଇଜଣ ତାଙ୍କ ଆକ୍ରମଣର ମୁକାବିଲା କରିପାରିନଥିଲେ।

ଏପରିକି ସୁଜାତାଙ୍କ ପ୍ରତିଆକ୍ରମଣରେ ଦୁଇଜଣ ଯାକ ଯୁବକ ବାଇକ୍‌ ଓ ମୋବାଇଲ ଛାଡି ଘଟଣାସ୍ଥଳରୁ ପଳାଇଥିଲେ। ସୁଜାତା ଏନେଇ ସେକ୍ଟର ୧୯ ଥାନାରେ ଏତଲା ଦେଇଛନ୍ତି। ପୋଲିସ ବାଇକ ଜବତ କରି ଘଟଣାର ତଦନ୍ତ ଚଳାଇଛି।

You might also like