ସଲମାନ୍‌ଙ୍କୁ ହତ୍ୟା ଯୋଜନା!

ମୁମ୍ବାଇ: ବଲିଉଡ଼ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ପାଇଁ ଚାଲିଥିଲା ଯୋଜନା। ଯାହାର ଖୁଲାସା କରିଛି ହରିୟାଣା ପୋଲିସ୍‌। ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ସମ୍ପତ ନେହେରାଙ୍କୁ ଗିରଫ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ନେହେରାକୁ ଜୁନ୍‌ ୬ରେ ହରିୟାଣା ପୋଲିସ୍‌ର ସ୍ପେଶାଲ୍‌ ଟ୍ୟାକ୍ସ ଫୋର୍ସ ଟିମ୍‌ ଗିରଫ କରିଥିଲା।

୨୮ ବର୍ଷୀୟ ନେହେରା ସଲମାନ୍‌ଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଯୋଜନା କରିଥିଲା। ଆଉ ଏହି ଯୋଜନାକୁ ସଫଳ କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ। ସେଠାରେ ସେ ସଲମାନ୍‌ଙ୍କ ଘରର ଫଟୋ ଉଠାଇବାସହ ଓ ଘରକୁ ଯିବାପାଇଁ ରୁଟ୍‌ ଉପରେ ମଧ୍ୟ ନଜର ରଖିଥିଲା।

ମେ ପ୍ରଥମ ସପ୍ତାହରେ ଯେତେବେଳେ ନେହେରା ମୁମ୍ବାଇରେ ଥିଲେ, ସେହି ସମୟରେ ସଲମାନ୍‌ ତାଙ୍କ ଘରର ବାଲ୍‌କୋନିକୁ ଆସି ପ୍ରଶଂସକଙ୍କୁ ଭେଟିଥିଲେ। ଏହି ସମୟରେ ନେହେରା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପ୍ରଶଂସକଙ୍କ ଭିଡ଼ ଏତେ ଥିଲା ଯେ ଯାହାର ଫାଇଦା ଉଠାଇ ନେହେରା ସଲମାନ୍‌ଙ୍କ ବାଲ୍‌କୋନି ପର୍ଯ୍ୟନ୍ତ ଯିବାପାଇଁ ଦୂରତା ଜାଣିବାକୁ ଚେଷ୍ଟା କରିଥିଲେ। ଏପରିକି ଘରର କିଛି ଫଟୋ ମଧ୍ୟ ଉଠାଇଥିଲେ ବୋଲି ପୋଲିସ୍‌ କହିଛି।

ନେହରାଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରହିଛି। ରାଜସ୍ଥାନର ବିଷ୍ଣୋଇ କମ୍ୟୁନିଟିର ସମ୍ପତ ନେହରା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାଇଁ କାମ କରେ।

ଚଳିତ ବର୍ଷ ଜାନୁଆରୀ ମାସରେ  କୃଷ୍ଣସାର ମୃଗ ହତ୍ୟା ମାମଲାର ଶୁଣାଣି ପାଇଁ ସଲମାନ ଯୋଧପୁର କୋର୍ଟ ଯାଇଥିବାବେଳେ ସେଠାରେ ତାଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଜୀବନରୁ ମାରି ଦେବା ନେଇ ଧମକ ଦେଇଥିଲେ। ସୂଚନା ମୁତାବକ ଲରେନ୍ସ ବିଷ୍ଣୋଇ ୧୯୯୮ ମସିହାରେ କୃଷ୍ଣସାର ମୃଗ ହତ୍ୟାକୁ ନେଇ ସଲମାନଙ୍କ ଉପରେ ରାଗ ରଖିଥିଲେ।

You might also like
Comments
Loading...