ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ ପ୍ରକାଶ ପାଇଛି। କୋର୍ଟ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ଘଟଣା ଘଟିବାର ଠିକ୍ ମାସକରେ ରାୟ ଶୁଣାଇଛନ୍ତି ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍।

ଗତ ମେ ୨ ତାରିଖରେ ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପୋଲିସ୍ ଏହି ଘଟଣାର ତଦନ୍ତ କରି ଜଣେ ନାବାଳକ ସହ ୬ ଜଣଙ୍କୁ ଗିରଫ କରିଥିଲା। ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ଚାଲିଥିଲା।

ଜିଲ୍ଲା ପୋଲିସ୍ ଘଟଣାର ତଦନ୍ତ ଜଣେ ଡିଏସ୍‌ପିଙ୍କ ମାଧ୍ୟମରେ କରାଇ ୧୫ ଦିନ ଭିତରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ତେବେ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲା ଚାଲିଥିଲା ବେଳେ ଗତ ୨୩ ତାରିଖରେ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିଥିଲେ।

ଗତକାଲି ମାମଲାକୁ ଠିକ୍ ମାସେ ପୂରିଥିବା ବେଳେ ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଉଦୟ ଭାନୁ ଜେନା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେପଟେ ମାମାଲର ସଠିକ ତଦନ୍ତ ହୋଇନଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅଭିଯୁକ୍ତଙ୍କ ଓକିଲ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like